ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସମ୍ବଲପୁର ହିଂସା ଘନେଇବାରେ ଲାଗିଛି। ଏଥିପାଇଁ ସମ୍ବଲପୁରରେ ସ୍ଥିତି ଉଦବେଗଜନକ ରହିଛି। ଏହାରି ଭିତରେ ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।
ଆସନ୍ତାକାଲି ସକାଳ ୧୦ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । ସୂଚନା ଅନୁସାରେ, ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ତଅଁଲାପଡ଼ା ରାନୀବଗିଚା ଅଞ୍ଚଳର ଏକ ପରିବାର ଗତ ୧୨ ତାରିଖ ସହରରେ ଘଟିଥିବା ହିଂସାକାଣ୍ଡ ପରେ ଅନ୍ୟତ୍ର ଚାଲି ଯାଇଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ସଂପୃକ୍ତ ପରିବାରର ଜଣେ ମହିଳା ଘରକୁ ଫେରି ପଡ଼ୋଶୀମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ଜୋର୍ରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
କେତେକ ବ୍ୟକ୍ତି ଘରକୁ ପଶି ଭଙ୍ଗାରୁଜା କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ପୁଲିସ ସେଠାରେ ପହଂଚି ପଡ଼ାର କେତେକ ମହିଳା ଓ ଯୁବକଙ୍କୁ ଉଠାଇ ନେଇଥିଲେ। ତେବେ, ସ୍ଥାନୀୟ ମହିଳାମାନେ ଘଟଣାରେ କୌଣସି ପ୍ରକାରରେ ସଂପୃକ୍ତ ନଥିବା ମହିଳାମାନଙ୍କୁ ଧରିନେବା ଘଟଣାର ପ୍ରତିବାଦ କରିଥିଲେ। ଫଳରେ ବାଲିବନ୍ଧା ଫାଣ୍ଡି ଓ ଚିତ୍ରଗୁପ୍ତ ମନ୍ଦିର ନିକଟରେ ଉତ୍ତ୍ୟକ୍ତ ମହିଳାମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ତେବେ ଆଉ କେତେଦିନ ଏପରି ଚାଲିବ । ସମ୍ବଲପୁର ସ୍ଥିତି କେବେ ସୁଧୁରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।