ଓୟୁଏଟି ତରଫରୁ କନ୍ଧମାଳରେ ଚାଷୀମାନଙ୍କୁ ଦିଆଗଲା ପ୍ରଶିକ୍ଷଣ, ଉନ୍ନତ କିସମ ଫଳ ବୃକ୍ଷଚାରା ବଣ୍ଟନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସର୍ବ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପ, ଭୁବନେଶ୍ୱରର ଆଦିବାସୀ ଅଣୁ ଯୋଜନା(ଟିଏସ୍‌ପି) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧୀନ କର୍ଣ୍ଣଡାଠାରେ ଉନ୍ନତ କିସମର ଫଳ ବୃକ୍ଷ ବଣ୍ଟନ ଓ କୃଷକ ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିରେ ଫଳ ଗବେଷଣା ପ୍ରକଳ୍ପର କାର୍ଯ୍ୟନିର୍ବାହୀ ବୈଜ୍ଞାନିକା ଡଃ ସୌଦାମିନି ସ୍ୱାଇଁ ତାଲିମ୍‌ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିରେ କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ କଦଳୀ ଚାଷ ଆପଲ୍‌ ବେର (କାଶ୍ମୀର ବଡ଼ ବରକୋଳି) ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଠାରେ ପ୍ରକଳ୍ପ ତରଫରୁ ୮୦୦୦(ଆଠ ହଜାର) ପେଶି ପୋଷଣ କଦଳୀ ଚାରା ଚମ୍ପା କିସମ, ୫୦୦୦(ପାଞ୍ଚ ହଜାର) କଲମୀକୃତ କାଶ୍ମୀର ବଡ଼ ବରକୋଳି ୩୦ ଜଣ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।

ଏଥିସହିତ ଆବଶ୍ୟକୀୟ ସମସ୍ତ ପୋଷକ ତତ୍ତ୍ୱ ଓ ଫସଲ ସୁରକ୍ଷା ଉପାଦାନ ମଧ୍ୟ ବଣ୍ଟନ କରାଯାଇଛି । ଗତ ବର୍ଷ ଉନ୍ନତ ଧରଣର ବିହନ ଯୋଗାଇ ଚାଷୀମାନଙ୍କ କ୍ଷେତ୍ରରେ କରାଯାଇଥିବା ହୋଇଥିବା କଦଳୀ ବଗିଚାକୁ ଚାଷୀମାନଙ୍କ ସହିତ ତାଲିମ ପ୍ରଦାନକାରୀ ଦଳ ପରିଦର୍ଶନ କରିଥିଲେ । ସମସ୍ତ ଚାଷୀମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଶେଷ ଭାବେ ସ୍ଥାନୀୟ ମହିଳାମାନେ ଏହି ଉନ୍ନତ ଚାଷ ପ୍ରଣାଳୀ ସଂପର୍କରେ ଜ୍ଞାନ ଆହରଣ ସକାଶେ ଆଗଭର ହେଉଥିବା ପରିଲକ୍ଷିତ ହେଉଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ସହାୟକ ଅଧିକାରୀ ସୁନୀଲ କୁମାର ମଲ୍ଲିକ ସହଯୋଗ କରିଥିଲେ ।

Leave A Reply

Your email address will not be published.