ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି, ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି:ବୋର୍ଡ ସଭାପତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ଯେ, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ଇତିମଧ୍ୟରେ ମାଟ୍ରିକ ଖାତା ଦେଖା ଶେଷ ହୋଇଛି । ତେବେ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବା ନେଇ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । କେବେ ପରୀକ୍ଷା ଫଳ ବାହାରିବ ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ଆସନ୍ତା ମେ ତୃତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି । ସୋସିଆଲ ସାଇନ୍ସ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।ଗତ ଏପ୍ରିଲ୍ ୩ ତାରିଖ ଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ।
ରାଜ୍ୟରେ ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବାବେଳେ ସବୁ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ମୂଲ୍ୟାୟନ ପରେ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଛି । ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବା ବେଳେ ଏହା ମଧ୍ୟରେ ମୂଲ୍ୟାୟନ ଶେଷ ହୋଇଛି । ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବାବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା ।ଏଥର ତ୍ରୁଟିଶୂନ୍ୟ ଫଳ ପ୍ରକାଶ ନିମନ୍ତେ ବୋର୍ଡ଼ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।