ଯୋଗୀଙ୍କ ଦମନ ଷ୍ଟ୍ରାଟେଜି: ଓଡ଼ିଶାରେ ହେବ କି ପ୍ରତିଫଳନ ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଅପରାଧି ଦମନ ଷ୍ଟ୍ରାଟେଜିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଯୋରଧରିଛି । ଯେତେ ସମାଲୋଚନା ହେଲେ ବି ଯୋଗୀ ଏହି ମଡେଲକୁ ବିଶ୍ୱାସ କରୁଥିବା କୁହାଯାଉଛି। ଉତ୍ତରପ୍ରଦେଶ ମାଫିଆ ମୁକ୍ତ ହୋଇଥିବା କହିଛନ୍ତି ଆଦିତ୍ୟନାଥ। କାଲି ଯେଉଁମାନଙ୍କ ପାଇଁ ଉତ୍ତରପ୍ରଦେଶର ଜନତା ଭୟଭୀତ ଥିଲେ ଆଜି ସେମାନେ ଭୟଭୀତ ବୋଲି କୁହାଯାଇଛି।ଏଭଳି ଢଙ୍ଗରେ ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଦିତ୍ୟନାଥ କହିଛନ୍ତି। ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୋଲିସ ଉପସ୍ଥିତିରେ ହତ୍ୟା କରାଯିବା ପରେ ଏହାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ଏସବୁ ଭିତରେ ଯୋଗୀ ଆଦିତ୍ୟନାଥଙ୍କ ଏଭଳି ବୟାନ ଚର୍ଚ୍ଚାକୁ ବଢାଇଦେଇଛି। ଏପରିକି ଉତ୍ତରପ୍ରଦେଶରେ ପୂର୍ବରୁ ବହୁ ଦଙ୍ଗା ହେବା ସହ ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଯୋଗୀ କହିଛନ୍ତି। ଏହି ଅବସରରେ ପୂର୍ବରୁ କ୍ଷମତାରେ ଥିବା ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆଦିତ୍ୟନାଥ ।

୨୦୧୨ ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୭୦୦ ରୁ ଅଧିକ ଦଙ୍ଗା ଦେଖାଯାଇଥିଲା। କିନ୍ତୁ ୨୦୧୭ ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି। କୌଣସି ପ୍ରକାରର କର୍ଫ୍ୟୁ ମଧ୍ୟ ଲାଗୁ ହୋଇନି। ରାଜ୍ୟରେ ପୁଞ୍ଜିନିବେଶ ଓ ଶିଳ୍ପ ଗଠନ ପାଇଁ ଏବେ ଉପଯୁକ୍ତ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶ ଏବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଗ୍ୟାରେଣ୍ଟ ଦେଉଛି ବୋଲି ସେ କହିଛନ୍ତି। ଯାହାକୁ ନେଇ କେବଳ ଉତ୍ତର ପ୍ରଦେଶ ନୁହେଁ ସାରା ଦେଶରେ ରାଜନୈତିକ ହଟଚମଟ ଦେଖାଯାଇଛି। ଯେଉଁ ଉତ୍ତରପ୍ରଦେଶ ଦିନେ ଅରାଜକତାର ଭୂମି ଭାବେ ଗଣାଯାଉଥିଲା ସେଠି ଏବେ ଲୋକେ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି ବୋଲି ବାର୍ତା ଦେଇଛନ୍ତି ଯୋଗୀ। ଏପରିକି ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ସମ୍ବଲପୁର ଦଙ୍ଗା ଏବେ ଚର୍ଚ୍ଚାରେ ରହିଛି। ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ବିଭିନ୍ନ ସମୟରେ ଦଙ୍ଗା ଓ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ହେଉଛି। ଠିକ ଏଭଳି ସମୟରେ ଯୋଗୀଙ୍କ ମଡେଲକୁ ନେଇ ଆଲୋଚନା ହେଉଛି। ବିଜେପିକୁ ଏହା ମାଇଲେଜ ଦେବ ବୋଲି କୁହାଯାଉଛି।

ଲଗାତର ଅପରାଧ ପୁରା ଉତ୍ତରପ୍ରଦେଶକୁ ବଦନାମ କରୁଥିବା ବେଳେ ପ୍ରଗତିରେ ବଡ଼ ବାଧକ ଥିଲା। କିନ୍ତୁ ଯୋଗୀଙ୍କ ଏଭଳି ପଦକ୍ଷେପ ଓ ମନ୍ତବ୍ୟକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ହେଲେ ଏହାରି ମଧ୍ୟରେ ଗତ କିଛିମାସ ହେବ ଓଡ଼ିଶା ସରକାର ଯୋଗୀସରକାରଙ୍କର ଷ୍ଟାଟେଜି ଆପଣାଇଥିବା ପରିଲକ୍ଷିତ ହେଉଛି । ଓଡ଼ିଶା ସରକାର ମାଫିଆ ଓ ଗ୍ୟାଙ୍ଗଷ୍ଟରଙ୍କର ସମ୍ପତି ବାର୍ଯ୍ୟାପ୍ତି କରିବା ସହ ସେମାନଙ୍କ ଘର ଉପରେ ବୁଲଡ଼ୋଜର ବୁଲୁଛି । ତେବେ ଆଗାମୀ ଦିନରେ ଯୋଗୀ ସରକାରଙ୍କର ଦମନ ଷ୍ଟ୍ରାଟେଜିରେ ଓଡ଼ିଶାରେ କଣ କଣ ପ୍ରତିଫଳିତ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.