ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଖେଇ ଆସୁଛି କର୍ଣ୍ଣାଟକ ସାଧରଣ ନିର୍ବାଚନ । ଏହାରି ମଧ୍ୟରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି ରାଜନୈତିକ ରଣନୀତି । ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ବିଜେପି ଲିଙ୍ଗାୟତ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଓଲଟା ବାଣ ମାରିଛି। ଟାଣୁଆ ଲିଙ୍ଗାୟତ ନେତା ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଆହ୍ୱାନ ଦେଇଛି ବିଜେପି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ସେଟ୍ଟାର ଓ ସାବାଡିଙ୍କୁ ବିଜେପି ଅସମ୍ମାନିତ କରିବାରୁ ଦୁଇ ନେତା କଂଗ୍ରେସକୁ ଆସିଲେ ବୋଲି ତୃଣମୂଳ ସ୍ତରକୁ ବାର୍ତା ଯାଉଥିବା କୁହାଯାଉଛି। ଯାହାକି ବିଜେପି ଭୋଟ ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି।
ଏଭଳି ସ୍ଥିତିରେ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ଭି ସୋମାନ୍ନା ସେଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି। ଲିଙ୍ଗାୟତମାନେ ସ୍ୱାଭିମାନୀ ଓ ବୁଦ୍ଧିମାନ। ତେଣୁ ସେମାନଙ୍କୁ ଠକିବାକୁ ଚେଷ୍ଟା କଲେ କଂଗ୍ରେସ ଦଳ ପରିଣାମ ଭୋଗିବ ବୋଲି ଚେତାଇ ଦେଇଛନ୍ତି ଏହି ବିଜେପି ନେତା। ପୂର୍ବରୁ କିଛି ନେତାଙ୍କ ଉଦାହରଣ ଦେଇ ୟୁଜ ଆଣ୍ଡ ଥ୍ରୋ ନୀତି ଚଳିବନି ବୋଲି ସୋମାନ୍ନା କହିଛନ୍ତି। ସେପଟେ ବିଜେପିର ଲିଙ୍ଗାୟତ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ଯୋଜନା କରିଥିବା କଂଗ୍ରେସ କର୍ଣ୍ଣାଟକର ଦଳିତ ସମାଜର ସମର୍ଥନ ପାଇବାରେ ସକ୍ଷମ ହୋଇଛି। କର୍ଣ୍ଣାଟକର ଦଳିତ ସଂଘର୍ଷ ସମିତି ଐକ୍ୟ ହୋରାଟା ଚାଳନା ସମିଥି କଂଗ୍ରେସକୁ ସମସ୍ତ ୨୨୪ ବିଧାନସଭା କ୍ଷେତ୍ରରେ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଗଣତନ୍ତ୍ର ଓ ଭାରତୀୟ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଦଳିତ ସଂଗଠନ ସମର୍ଥନ ଘୋଷଣା କରିଥିବା କହିଛନ୍ତି ଦଳିତ ସଂଗଠନର ପ୍ରମୁଖ ସଦସ୍ୟ ଇନ୍ଦୁଧର ହୋନ୍ନାପୁର। କର୍ଣ୍ଣାଟକରେ କଂଗ୍ରେସ ରାଜ୍ୟର ସ୍ଥିତିକୁ ଆଖି ଆଗରେ ରଖି ଭିନ୍ନ ଭିନ୍ନ ରଣନୀତି ସହ ବିଭିନ୍ନ ସଂଗଠନକୁ ନିଜ ଆଡକୁ ନେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ସେପଟେ ବିଜେପି ଓ ଜେଡିଏସର କିଛି ଅସନ୍ତୁଷ୍ଟ ନେତାଙ୍କ କଂଗ୍ରେସରେ ଯୋଗଦାନ ପ୍ରକ୍ରିୟା ଜାରି ରହିଛି।
ଏପଟେ ରଣନୀତିକୁ ଶାଣିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେ.ଏସ୍ .ଇଶ୍ୱରପ୍ପାଙ୍କ ସହ କଥା ହୋଇଛନ୍ତି। ବିଜେପି ଏଥର ଇଶ୍ୱରପ୍ପାଙ୍କୁ ଟିକେଟ ଦେଇନାହିଁ। ଇଶ୍ୱରପ୍ପା ମଧ୍ୟ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଟିକେଟ୍ ନ ପାଇବା ସତ୍ତ୍ୱେ ଇଶ୍ୱରପ୍ପା ଦଳ ବିରୋଧର ସ୍ୱର ଉଠାଇନାହାନ୍ତି, କିନ୍ତୁ ବିଜେପିର ଜଗଦୀଶ ଶେଟ୍ଟର ଓ ସାବଦିଙ୍କୁ ଟିକେଟ୍ ନ ମିଳିବା ପରେ ସେମାନେ କଂଗ୍ରେସରେ ଯୋଗ ଦେଇଥିଲେ। ଇଶ୍ୱରପ୍ପାଙ୍କୁ ସହ ଫୋନରେ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦଳ ପ୍ରତି ଇଶ୍ୱରପ୍ପାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ଇଶ୍ୱରପ୍ପାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ଇଶ୍ବରପ୍ପା କହିଛନ୍ତି ଯେ ସେ କର୍ଣ୍ଣାଟକରେ ବିଜେପିକୁ ସମର୍ଥନ କରିବେ।