ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛ ହତ୍ୟାଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଥିବା ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି । ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେଖା ହୋଇଛି । ଆଜି ଏହି ଦାବି କରିଛନ୍ତି କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରିବା ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏର୍ଣ୍ଣାକୁଲମ ବାସିନ୍ଦା ଜୋସେଫ ଜନ ନାଡୁମୁଥାମିଲଙ୍କ ନାମରେ ଏହି ଚିଠି ଆସିଛି । ପୋଲିସର ସୂଚନା ଅନୁଯାୟୀ, ସପ୍ତାହେ ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ବିଜେପି କର୍ମୀ ଏହାକୁ କେରଳ ପୋଲିସ ମୁଖ୍ୟଙ୍କୁ ଦେଇଥିଲେ । ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏବଂ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାଥାଉକି, ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ନାଭାଲ ବିମାନ ବନ୍ଦରରେ ପହଂଚିବେ । ସେଠାରୁ ଏକ ସ୍ୱତନ୍ତ୍ର ବାୟୁସେନା ବିମାନରେ କେରଳ ପହଂଚିବେ । ଏହାପରେ ଅପରାହ୍ନ ୫.୩୦ ସୁଦ୍ଧା ବିଜେପି ଦ୍ୱାରା ଆୟୋଜିତ ଏକ ରୋଡ୍ ସୋରେ ଯୋଗ ଦେବେ । ପରେ ପରେ ଥେଭାରା ସେକ୍ରେଡ୍ ହାର୍ଟ କଲେଜ ପଡିଆରେ ବିଜେପି ଯୁବ ସଂଗଠନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀ ‘ୟୁଭମ୍’ର ଉଦଘାଟନ କରିବେ ।
ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ତାଜ ମାଲାବାର ହୋଟେଲରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ । ପରଦିନ ସକାଳେ ଅର୍ଥାତ ଆସନ୍ତା ମଙ୍ଗଳବାର ସକାଳସାଢେ ୧୦ଟାରେ ସବୁଜ ପତାକା ଦେଖାଇ ରାଜ୍ୟବାସୀଙ୍କୁ ଭେଟି ଦେବେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଦିନ୧୧ଟା ସମୟରେ ସେଣ୍ଟ୍ରାଲ ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ କୋଚି ୱାଟର ମେଟ୍ରୋକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ସେହିପରି ଥିରୁଅନନ୍ତପୁରମରେ ଡିଜିଟାଲ ସାଇନ୍ସ ପାର୍କର ମଧ୍ୟ ଶିଳାନ୍ୟାସ କରାଯିବ ।