ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ମାମାଙ୍କନ ନାକଚ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ମାମାଙ୍କନ ନାକଚ କରିଦିଆଯାଇଛି । ତେବେମୋଟ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଆସନ୍ତା ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ଏପ୍ରିଲ ୨୦ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ନାମାଙ୍କନ ପତ୍ର ଯାଂଚ ପରେ ମୋଟ ୧୦ଜଣଙ୍କ ପ୍ରାର୍ଥିପତ୍ର ବୈଧ ରହିଛି ଓ ୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧୪ଜଣ ପ୍ରାର୍ଥୀ ମୋଟ ୨୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ବିଭିନ୍ନ କାରଣରୁ ୪ଜଣ ପ୍ରାର୍ଥୀ ଯଥା-ରୀନା ଦେଶାଇ(ଦେଶ ଦଳ),ଶ୍ରୀଦାମ ଶର୍ମା(ସ୍ୱାଧୀନ), ସନ୍ତୋଷ ମହାପାତ୍ର(ସ୍ୱାଧୀନ) ଓ ତୁଳାରାମ ଗୁରୁ(ନବଭାରତ ନିର୍ମାଣ ସେବା ପାର୍ଟି)ଙ୍କ ନାମାଙ୍କ ପତ୍ର ଖାରଜ ହୋଇଛି । ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ ଜଲାନ, ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା , ଭୁବନେଶ୍ୱର ଗରଦିଆ ଓ ମହେନ୍ଦ୍ର ଲୁହଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ତେବେଆସନ୍ତା ୨୪ ତାରିଖରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

ଅନ୍ୟପଟେ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଠିକ୍‌ ଅନୁପାଳନ ହେଉଛି କି ନାହିଁ ସେସବୁର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଆଇଏଏସ୍‌ ଡ. ଅହମ୍ମଦ ଇକବାଲ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ବ ସେବା ଅଧିକାରୀ ଶିତୋଲେ ସତୀଶ ବିଶ୍ୱନାଥ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ନିର୍ବାଚନ ସଂକ୍ରାନ୍ତ କୌଣସି ଅଭିଯୋଗ ଥିଲେ ଏହି ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ପ୍ରକୋଷ୍ଠରେ ଅଥବା ମୋବାଇଲ ନମ୍ବରରେ ଯୋଗାଯୋଗ କରିଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉପନିର୍ବାଚନ ପାଇଁ ‘ସିଭିଜିଲ’ ନାମକ ଏକ ଆପ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଞ୍ଚ କରାଯାଇଥିବା ନେଇ ମଧ୍ୟ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.