ଅନୁଗୋଳ କୁଲାଡ ଠାରେ ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସ୍ଥାନୀୟ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆମ ଅନୁଗୋଳ ଅଞ୍ଚଳରେ ଆମେ ନୂଆ ସୁଯୋଗ ସୃଷ୍ଟି କରିବା । ଏଥିପାଇଁ ସ୍ଥାନୀୟ ଲୋକମାନେ ବଡ ଭାବିବା ଦରକାର । ବଡ଼ ଭାବିଲେ ଓ ବଡ଼ ସ୍ୱପ୍ନ ଦେଖିଲେ ଆମେ ବଡ଼ ହୋଇ ପାରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଅନୁଗୋଳ ଜିଲ୍ଲା ନାଲକୋନଗର କୁଲାଡ ଠାରେ ଟ୍ରକ ମାଲିକ କଲ୍ୟାଣ ସଂଘର ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିବା ଅବସରରେ ପ୍ରଧାନ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମେ ସମସ୍ତେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଅନୁପ୍ରାଣିତ । ଓଡ଼ିଆ ଲୋକ ପାଖରେ ଦୁଇ ପଇସା ଆସିଲେ ନିଜ ପାଇଁ ନୁହେଁ ବରଂ ମନ୍ଦିର ତିଆରି ପାଇଁ ଅର୍ଥଦାନ ତଥା ଗାଁ ପାଇଁ ନୂଆ ଯୋଜନା ତିଆରି କରିବାର ଇଚ୍ଛା ରଖେ । ତେଣୁ ଆମେ ରାଜା ସୋମନାଥ ସିଂହ, ଶହୀଦ ବାଜି ରାଉତଙ୍କ ତ୍ୟାଗ ଓ ବିଚାରକୁ ଅନୁସରଣ କରିବା ଏବଂ ସ୍ୱୟଂ ପାଇଁ ନୁହେଁ, ସମୂହଙ୍କ କଲ୍ୟାଣ ପାଇଁ ଚିନ୍ତା କରିବା । ଅନୁଗୋଳର ସ୍ଥାନୀୟ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ସହ ଆମ ସମାଜରେ ସମ୍ପନ୍ନତା ବଢୁ, ଏହା ହିଁ ଆଜି ‘ଅକ୍ଷୟ ତୃତୀୟା’ର ଶୁଭ ଅବସରରେ ଆମର ସଂକଳ୍ପନା ହେଉ ।
ଦେଶରେ ଏକ ଲୋକପ୍ରିୟ ସରକାର ନରେନ୍ଦ୍ର ମୋଦିଙ୍କ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ବଡବଡିଆଙ୍କ ଘରକୁ ବଡ କରିବା ପାଇଁ ନୁହେଁ ବରଂ କୁଲାଡ ଭଳି ଅଞ୍ଚଳରେ ସ୍କୁଲ ତିଆରି କରିବା ଓ ଜନକଲ୍ୟାଣ ପାଇଁ ଅର୍ଥ ଦେଉଛନ୍ତି । ଆମ ଜିଲ୍ଲାକୁ ଆସୁଥିବା ଅର୍ଥକୁ ଆମକୁ ଆଣିବାକୁ ହେବ । ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳର ରାଜସ୍ୱକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଖଣି କ୍ଷେତ୍ରରେ ନୂଆ ନୂଆ ସଂସ୍କାର ଆଣିଛନ୍ତି । ବିଶେଷ ନୀତି କାରଣରୁ ଓଡ଼ିଶା ଓ ଅନୁଗୋଳ ବିପୁଳ ରାଜସ୍ୱ ପାଉଛି । ପୂର୍ବରୁ ଓଡ଼ିଶାକୁ କେବଳ ୫,୦୦୦ କୋଟି ରାଜସ୍ୱ ମିଳୁଥିଲା ।
ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଆଜି ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ମିଳୁଛି । କୁଲାଡ ଭଳି ଅଞ୍ଚଳର ବିକାଶ ପାଇଁ ଡିଏମଏଫ ପାଣ୍ଠି ଗଠନ ହୋଇଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ଅନୁଗୋଳ ପ୍ରାୟ ୧୦୦୦ କୋଟି ଟଙ୍କା ପାଉଛି । ଅପରପକ୍ଷରେ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୁରୁଣା ବାସଭବନର ରକ୍ଷଣାବେକ୍ଷଣ ଠିକରେ ହେଉନଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ତରବରିଆ ଭାବରେ ପ୍ରଶାସନ ପକ୍ଷରୁ ତାଙ୍କର ନକଲି ପ୍ରତିମୂର୍ତ୍ତି ଲଗାଯାଉଛି, ଯାହା ଦୁଃଖର ବିଷୟ ।
ଅନୁଗୋଳର କୁଲାଡ ଗ୍ରାମକୁ ଆସିବା ମୋ ପାଇଁ ସୌଭାଗ୍ୟ । ଏଠାକାର ଜନଆଶୀର୍ବାଦ ଏବଂ ଉତ୍ସାହ ସବୁବେଳେ ଅଭୂତପୂର୍ବ । ନାଲକୋନଗର ଟ୍ରକ ମାଲିକ କଲ୍ୟାଣ ସଂଘର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଡି ହେଇ ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ଖୁସିର ବିଷୟ । ଆଜି ଉଦଘାଟିତ କଲ୍ୟାଣ ମଣ୍ଡପ ଦ୍ୱାରା ସ୍ଥାନୀୟ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବିବାହ କାର୍ଯ୍ୟକ୍ରମ ଏଣିକି ଏଠାରେ ଆୟୋଜନ କରାଯିବ । ଏହା ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଭାବେ ସହାୟକ ହେବ । ଏହି ନୂତନ ମଣ୍ଡପ ନିର୍ମାଣ ପାଇଁ ସହଯୋଗୀ ହୋଇଥିବା ଟ୍ରକ ମାଲିକ ସଂଘର ସଦସ୍ୟ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।