ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ପ୍ରତିଶୃତିର ପାହାଡ଼ ଠିଆହେଉଛି । ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି । ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି । କେନ୍ଦ୍ରରେ କ୍ଷମତାକୁ ଆସିଲେ କଂଗ୍ରେସ ଜିଏସଟି ଢାଞ୍ଚାରେ ପରିବର୍ତ୍ତନ କରିବ। ଗୋଟିଏ ଟିକସ ବ୍ୟବସ୍ଥା ରହିବ ଓ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। କେନ୍ଦ୍ରର ବିଜେପି ସରକାର କିଛି ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରିଥିବା ରାହୁଲ ଗାନ୍ଧି କହିଛନ୍ତି । ପ୍ରଭାବଶାଳୀ ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରାଯାଇଛି । ଏହି ଜଟିଳ ବ୍ୟବସ୍ଥାକୁ ଅନେକ ଆଦୌ ବୁଝିପାରୁ ନ ଥିବାବେଳେ ଛୋଟ ଛୋଟ ବ୍ୟବସାୟ ବନ୍ଦ ହୋଇଯାଉଛି ବୋଲି କହିଛନ୍ତି ରାହୁଲ । ଏପରିକି ତେଲ ଗ୍ୟାସ ଦାମ ବୃଦ୍ଧିକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଦୁଇ ତିନି ଜଣ ଶିଳ୍ପପତିଙ୍କୁ ସହଯୋଗର ହାତ ବଢ଼ାଯାଇଛି । କିନ୍ତୁ କଂଗ୍ରେସ ସବୁବେଳେ ଚାଷୀ ଓ ଗରିବଙ୍କ ପାଇଁ କାମ କରିଆସିଛି ବୋଲି କୁହାଯାଇଛି। ରାହୁଲ ଉଠାଇଥିବା ଜିଏସଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଆସୁଛି ।
ଦେଶରେ ଜିଏସଟିକୁ ନେଇ ଆଜି ଯାଏ ବିରୋଧ ଦେଖିବାକୁ ମିଳୁଛି । ଏପରିକି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏ ପ୍ରସଙ୍ଗକୁ ନେଇ ଲଢେଇ ଆଜି ବି ଚାଲିଛି । ତେଣୁ ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ରାହୁଲ ସୂଚନା ଦେବା ପରେ ଏହାକୁ ନେଇ ସାରା ଦେଶରେ ଆଲୋଚନା ଜୋର ଧରିଛି । ଏପରିକି କର୍ଣ୍ଣାଟକରେ ପ୍ରଚାର କିନ୍ତୁ ଲକ୍ଷ୍ୟ ଦେଶ ଉପରେ ବୋଲି କୁହାଯାଉଛି। କର୍ଣ୍ଣାଟକରେ ଆଖୁ ଚାଷୀଙ୍କୁ ଉଦବୋଧନ ଦେଇ ରାହୁଲ ଗାନ୍ଧି ଚାଷୀଙ୍କୁ ଫାଇଦା ଦେବା ଭଳି ପଦକ୍ଷେପ ନେବାକୁ କଂଗ୍ରେସ ଯୋଜନା କରିଥିବା କହିଛନ୍ତି । ଚାଷୀଙ୍କ ଋଣ ଛାଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି ରାହୁଲ । ସେପଟେ ବିଜେପି କିନ୍ତୁ କଂଗ୍ରେସର ବହୁ ଘୋଷଣାକୁ ଧୁଆଁ ବାଣ ବୋଲି କହୁଛି । ବିଭିନ୍ନ ରାଜ୍ୟରେ କଂଗ୍ରେସ ବହୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କରିବାରେ ଅସମର୍ଥ ହୋଇଛି ବୋଲି ବିଜେପି ନେତାମାନେ କହିଛନ୍ତି । ଏପରିକି ହିମାଚଳ ପ୍ରଦେଶରେ ବହୁ ପ୍ରତିଶୃତି ଦେଇ ସରକାର ଗଢ଼ିଥିଲେ ମଧ୍ୟ ସେ ସବୁକୁ କଂଗ୍ରେସ ପୂରଣ କରିପାରିନି ବୋଲି କୁହାଯାଇଛି ।
ସେପଟେ ବିଜେପି ଜେଡିଏସର ଭୋଟ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଯୋଜନା କରିଛି । କର୍ଣ୍ଣାଟକରେ ଜେଡିଏସକୁ ଭୋଟ ଦେବା ମାନେ ଏହା କଂଗ୍ରେସକୁ ଭୋଟ ଦେବା ସହ ସମାନ ବୋଲି ବିଜେପିର ବରିଷ୍ଠ ନେତାମାନେ ପ୍ରଚାରରେ କହିଛନ୍ତି । ଜେଡିଏସର ପ୍ରଭାବ ଥିବା ଅଞ୍ଚଳରେ ବିଜେପି ଜୋରଦାର ପ୍ରଚାର କରିବା ସହ ବିଜେପିକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି । କିନ୍ତୁ ଏ ସବୁ ମଧ୍ୟରେ ରାହୁଲ ଗାନ୍ଧୀ ଉଠାଇଥିବା ଜିଏସଟି, ତେଲ, ଗ୍ୟାସ ଦର ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ଲୋକଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି ।