ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତ ହେଉଛନ୍ତି ସରକାର, ଖୋଲିବ କଣ୍ଟ୍ରୋଲ ରୁମ୍‌

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାତ୍ୟା ମୁକାବିଲା ପାଇଁ ସବୁବେଳେ ଦୁଇପାଦ ଆଗରେ ରାଜ୍ୟ ସରକାର । ବାତ୍ୟା ସମ୍ପର୍କରେ କୌଣସି ପୂର୍ବାନୁମାନ କରାଯାଇନାହିଁ, ତଥାପି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନିର୍ଦ୍ଦେଶ ଦିଆଯାଇଛି, ଆସନ୍ତା ମେ’ ପହିଲାରୁ ସମସ୍ତ ବିଭାଗ ଓ ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ କାର୍ୟ୍ୟକ୍ଷମ ହେବ । କଣ୍‌ଟ୍ରୋଲ ରୁମ୍‌ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ ।

ଆସନ୍ତା ୧୯ରେ ପ୍ରତି ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ନେଇ ମକ୍‌ ଡ୍ରିଲ୍‌ ହେବ । ରଥଯାତ୍ରା ପରେ ପୁରୀରେ ମକ୍‌ ଡ୍ରିଲ୍‌ କରାଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମକାଳୀନ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଦ୍ୟୁତ ବିତରଣ କମ୍ପାନିକୁ ସେମାନଙ୍କର ବିପର୍ୟ୍ୟୟ ପରିଚାଳନା ଯୋଜନା ସମୀକ୍ଷା କରି କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବାତ୍ୟା ସମୟରେ ଯେଭଳି ଟେଲିକମ ସେବା କାର୍ୟ୍ୟକ୍ଷମ ରହିବ, ସେଥିପାଇଁ ବିଏସ୍‌ଏନ୍‌ଏଲ୍‌ ଓ ଟେଲିକମ ସେବା ପ୍ରଦାନକାରୀ ଅନ୍ୟ କମ୍ପାନି ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ଆଗୁଆ ବିକଳ୍ପ (ଷ୍ଟାଣ୍ଡବାଇ) ମୋବାଇଲ ଟାୱାର ନିୟୋଜିତ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଂଚଳରେ ସମସ୍ତ ମୋବାଇଲ୍‌ ଫୋନକୁ ଭଏସ୍‌ ମେସେଜ ଓ ଏସ୍‌ଏମ୍‌ଏସ୍‌ରେ ବାତ୍ୟା ଚେତାବନୀ ଓ ପାଣିପାଗ ବିଭାଗର ସତର୍କ ସୂଚନା ପଠାଇବା ଲାଗି ବିଏସଏନଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏ ନେଇ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଛ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.