ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପରଙ୍କୁ ଅପହରଣ କରି ବ୍ଲକମେଲିଙ୍ଗ କରୁଥିଲେ ଏହି ଗ୍ୟାଙ୍ଗ, ଧରିଲା ଏୟାରଫିଲଡ ଥାନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପରଙ୍କୁ ଅପହରଣ କରି ବ୍ଲକମେଲିଙ୍ଗ କରୁଥିବା ଗ୍ୟାଙ୍ଗକୁ ଧରିଲା ଏୟାରଫିଲଡ ଥାନା ପୁଲିସ । ଗତ ତା ୨୧.୦୪.୨୦୨୩ ରିଖରେ ଅଭିଯୋଗକାରୀ ଶଶିଭୂଷଣ ପାତ୍ରଙ୍କ ଅଭିଯୋଗ ଭିତ୍ତିରେ ଏୟାରଫୀଲ୍ଡ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶଶିଭୂଷଣଙ୍କର ପତ୍ନୀଙ୍କ ନାମରେ କୋରାପୁଟ ଜିଲ୍ଲା ପାଡୁଆ ଠାରେ ଏକ ପାତ୍ର ଫିଲିଂ ଷ୍ଟେସନ ଅଛି । ସେ ତାଙ୍କର ଏକ ତେଲ ଟ୍ୟାଙ୍କରକୁ ପାରାଦୀପ ରୁ ପାଡୁଆକୁ ଇନ୍ଧନ ପରିବହନ ନିମନ୍ତେ ରଖିଛନ୍ତି । ଗତ ତା.୧୯.୦୪.୨୦୨୩ ରିଖରେ ଅଭିଯୋଗକାରୀ ଶଶିଭୂଷଣଙ୍କ ଡ୍ରାଇଭର ମହେଶ ଯାଦବ ଏବଂ ସହାୟକ ମିଥୁନ ଯାଦବ ଇନ୍ଧନ ଆଣିବା ନିମନ୍ତେ ପାଡୁଆରୁ ତେଲ ଟ୍ୟାଙ୍କର ନେଇ ପାରାଦ୍ବୀପକୁ ବାହାରିଥିଲେ । ତା.୨୦.୦୪.୨୦୨୩ ରିଖଦିନ, ଉକ୍ତ ତେଲ ଟ୍ୟାଙ୍କର ସହିତ ଉଭୟ ଡ୍ରାଇଭର ଏବଂ ସହାୟକଙ୍କୁ ଏକ ଗୁଣ୍ଡା ଦଳ ଅପହରଣ କରିନେଇଥିବା ବେଳେ ସେମାନେ ସମ୍ପୃକ୍ତ ଡ୍ରାଇଭର ଓ ହେଲ୍ପରଙ୍କ ଅକାଉଣ୍ଟକୁ ୪ ଲକ୍ଷ ଟଙ୍କା ପଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଓ ଟଙ୍କା ନପାଇଲେ ଉଭୟ ଡ୍ରାଇଭର ଓ ହେଲ୍ପରଙ୍କୁ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିବା କଥା ଅଭିଯୋଗକାରୀ ଡ୍ରାଇଭର ମହେଶଙ୍କ ନିକଟରୁ ଫୋନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଏହା ଛଡା ଅପହରଣ କରିଥିବା ଗୁଣ୍ଡାଙ୍କ ମଧ୍ୟରୁ ଜଣେ ଅଭିଯୋଗକାରୀ ଶଶିଭୂଷଣଙ୍କୁ ଫୋନରେ ଧମକ ଦେଇ କହିଥିଲେ ଯେ, ଉକ୍ତ ତେଲ ଟ୍ୟାଙ୍କରରେ ତାଙ୍କ ଡ୍ରାଇଭର ଗଞ୍ଜେଇ ଚାଲାଣ କରୁଥିଲେ, ୪ଲକ୍ଷ ଟଙ୍କା ପଠାଇଲେ ଗାଡିକୁ ଛାଡି ଦିଆଯିବ ନଚେତ ଟ୍ୟାଙ୍କରକୁ ସିଜ କରାଯିବ ।

ଏଥିରେ ଡରିଯାଇ ଅଭିଯୋଗକାରୀ ଜଣକ ଡ୍ରାଇଭର ଏବଂ ହେଲ୍ପରଙ୍କ ଆକାଉଣ୍ଟରେ ତୁରନ୍ତ ୨ଲକ୍ଷ ଲେଖାଏଁ ଟଙ୍କା ପଠାଇ ଦେଇଥିଲେ । ପରେ ସେ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଭେଟିବା ଲାଗି ଭୁବନେଶ୍ବର ନିମନ୍ତେ ବାହାରିଥିଲେ । ତା.୨୦.୦୪.୨୦୨୩ ରିଖ ସକାଳେ ଅଭିଯୋଗକରୀ ଜଣକ ଏକ ଅଜଣା ନମ୍ବରରୁ ଆସିଥିବା କଲରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଡ୍ରାଇଭର ମହେଶ ଗୁଣ୍ଡା ମାନଙ୍କ କବଳରୁ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହାୟତାରେ ଏୟାରଫୀଲ୍ଡ ଥାନାକୁ ଯାଉଛନ୍ତି । ଅଭିଯୋଗକାରୀ ଜଣକ ତୁରନ୍ତ ଏୟାରଫୀଲ୍ଡ ଥାନାରେ ପହଞ୍ଚି ଡ୍ରାଇଭର ମହେଶଙ୍କୁ ଭେଟା ହେବ ସହିତ ତାଙ୍କ ନିକଟରୁ ଜାଣିବାକୁ ପାଇଥିଲେ ଯେ, ଉଭୟ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଭିଭିନ୍ନ ମରଣାସ୍ତ୍ର ଦେଖାଇ ଗୁଣ୍ଡା ମାନେ ଡରାଇବା ସହିତ ଉକ୍ତ ତେଲ ଟ୍ୟାଙ୍କର ସହିତ ଉଭୟଙ୍କୁ ଜଟଣୀ ନିକଟରୁ ଅପହରଣ କରି ନେଇଯାଇଥିଲେ । ଅପହରଣ ପରେ ସେମାନଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ ।

ଉଭୟଙ୍କୁ ଅଭିଯୁକ୍ତ ମାନେ ଏକ ଗାଡି ଭିତରେ ବନ୍ଦୀ କରି ରଖି ଭୟଭୀତ କରିବା ସହିତ ସେମାନଙ୍କ ମାଲିକଙ୍କୁ ଟଙ୍କା ମାଗିବା ନିମନ୍ତେ ଚାପ ପକାଉଥିଲେ । ଘଟଣାର ଅଭିଯୋଗ ପରେ ଏୟାରଫୀଲ୍ଡ ଥାନା ପୁଲିସ ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରିବା ସହିତ  ୭ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ ନାବାଳକଙ୍କୁ ମଧ୍ୟ ଅଟକ ରଖିଛି । ଛାନବିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ କବଜାରୁ ଡକାୟତିରେ ବ୍ୟବହୃତ ହେଉଥିବା ସାମଗ୍ରୀ ସବୁକୁ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ । ମାମଲାର ତଦନ୍ତ ସମୟରେ ଅପହୃତ ହେଲ୍ପର ମିଥୁନ ଯାଦବ ଝାରଖଣ୍ଡର ପୈତୃକ ଗ୍ରାମରେ ଚିକିତ୍ସାଧୀନ ଥିବା କଥା ପୁଲିସ ଜାଣିବାକୁ ପାଇଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.