ଝାରସୁଗୁଡ଼ା: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ପାଇଁ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି ଭାବରେ ପାଳନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବଛ ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଓ ନିର୍ବାଚନରେ କୌଣସି ଅନିୟମିତତା ବରଦାସ୍ତ କରାଯିବ ନାହିଁ ବୋଲି ପର୍ଯ୍ୟବେକ୍ଷକ ସତର୍କ କରାଇଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓ କ୍ରିଷ୍ଣା ତିୱାରୀ ଓ ପୁଲିସ୍ ପର୍ଯ୍ୟବେକ୍ଷକ ଭାରତୀୟ ପୁଲିସ ସେବା ଅଧକାରୀ ହମିଦ ଅଖତର ଯୋଗ ଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି ଭାବରେ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଭୟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ଦ୍ବିଗୁଣିତ କରାଯାଇଛି।

ପୂର୍ବରୁ ଉଭୟ ଟିମ୍ ର ସଂଖ୍ୟା ଆଠ ଥିବା ବେଳେ ଏବେ ଏହା ଷୋହଳକୁ ବୃଦ୍ଧି କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଏନ୍ଫୋର୍ସମେଣ୍ଟକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହା କରାଯାଇଛି। ତଦନୁଯାୟୀ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡାକଡି ଭାବରେ ପାଳନ କରିବା ଦିଗରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ଦିଗରେ ତଦାରଖକାରୀ ଅଧିକାରୀମାନେ ମଧ୍ୟ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦଣ୍ଡ ସଂହିତା ଧାରା ୧୦୭ ଓ ୧୧୦, ସର୍ବସାଧାରଣ ସ୍ଥାନରୁ ଦଳୀୟ ପ୍ରଚାର ପତ୍ର ଓ ବ୍ୟାନର ଅପସାରଣ, ରୋଡ଼ କ୍ରସିଂ ବ୍ୟାନର ନ ଲଗାଯିବା , ବିନା ଅନୁମତିରେ ସଭା ସମିତି ଓ ଶୋଭାଯାତ୍ରା ଆୟୋଜନ, ବିନା ଅନୁମତିରେ ଡ଼ାକବାଜି ଯନ୍ତ୍ରର ବ୍ୟବହାର କରି ନିୟମ ଉଲଂଘନ କରୁଥିବା ଵ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ , ଯାନବାହନଗୁଡ଼ିକୁ ଯାଞ୍ଚ ପୂର୍ବକ ଧାର୍ଯ୍ୟ ପରିମାଣର ଅର୍ଥ ଓ ମଦ୍ୟ ସାଙ୍ଗରେ ନେଉଥିବା ବ୍ୟକ୍ତି ବିଶେଷଙ୍କୁ ଅଟକ ରଖି ସବିଶେଷ ତଥ୍ୟ ହାସଲ କରିବା,ଅପରାଧିକ ତତ୍ତ୍ୱ ପ୍ରତି ନଜର ରଖିବା, ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡ଼ିକ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବା ନେଇ ଆଦେଶଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରବଣେ,ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି. ପରମାର ଅଧିକାରୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକା ଅନୁସାରେ ଅନୁମତି ବିହୀନ କୌଣସି କାର୍ଯ୍ୟକୁ ପ୍ରଶୟ ନ ଦେବାକୁ ସତର୍କ କରାଇ ନିୟମ ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ପ୍ରବନ୍ଧକ ନିର୍ଦ୍ଦେଶକ( ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଡେପୁଟି କଲେକ୍ଟର ଶୁଚିତା ପୁଷ୍ପାଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.