ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାରା ଓଡିଶାରେ ଏବେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି । ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସହ କୋହଲା ପବନ ବି ବହୁଛି । କିଛି ସ୍ଥାନରେ କୁଆପଥର ମଧ୍ୟ ପଡୁଛି । ଆଜି ୬ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।
ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି ଓ ଗଞ୍ଜାମ । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏହାବ୍ୟତୀତ ମାଲକାନଗିରି, କୋରାପୁଟ, ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବା ସହ ତାପମାତ୍ରା ବି ବିଶେଷ ବଢିବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଆଜି ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳଠାରୁ ରାଜଧାନୀ ଭୁବନେଶ୍ୱର ଆକାଶ ମେଘାଚ୍ଛନ ରହିଛି ।