ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କଧରଙ୍କ ପ୍ରୟାସ, କହିଲେ ଝାରସୁଗୁଡାବାସୀଙ୍କ ସୁଖ ଦୁଃଖର ସାଥି ହେବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୂତନ ଓଡିଶା ଗଠନ ପାଇଁ ବିଜେପି ପ୍ରତିଶୃତିବଦ୍ଧ । କେନ୍ଦ୍ରରେ ମୋଦି ସରକାର ଏଥି ପାଇଁ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଚାଲିଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଝାରସୁଗୁଡାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ପ୍ରତିଷ୍ଠା ସମ୍ଭବ ହୋଇଛି । ଶିଳ୍ପବହୁଳ ଝାରସୁଗୁଡାରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଇଏସଆଇସି ସବ୍ ସେଂଟରର ପ୍ରତିଷ୍ଠା ହୋଇଛି । ଏହା ବ୍ୟତୀତ ରେଳ, ସଡକ ପଥ ନିର୍ମାଣ ଓ ଭିତିଭୂମି ନିର୍ମାଣରେ ମଧ୍ୟ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଦିବାସୀ ବହୁଳ କିର୍ମିରା ଏବଂ ଲଇକେରା ବ୍ଲକକୁ ଆଇଟିଡିଏ ବ୍ଲକର ମାନ୍ୟତା ପ୍ରଦାନ କରିସାରିଛନ୍ତି ମୋଦି ସରକାର । ବୈଶ୍ୱିକ ମହାମାରୀ କରୋନା ସଂକଟ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଂଟ ସ୍ଥାପିତ କରି ବହୁ ମୂଲ୍ୟବାନ ଜୀବନକୁ ବଂଚେଇ ଦିଆଯାଇଛି । ନୂତନ ଓ ବିକଶିତ ଝାରସୁଗୁଡା ଗଠନ ପାଇଁ ବିଜେପି ପ୍ରତିଶୃତିବଦ୍ଧ । ଏକ ଅସ୍ୱାଭାବିକ ପରିସ୍ଥିତିରେ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପନିର୍ବାଚନରେ ବହୁ ଦିନ ଧରି ବିଭିନ୍ନ ସେବା ଓ ଅଧିକାର ପାଇବାରୁ ବଂଚିତ ହୋଇଥିବା ସାଧାରଣ ଜିଲ୍ଲାବାସୀ ୨୩ ବର୍ଷର ବ୍ୟଭୀଚାର ଓ ଅନ୍ୟାୟୀ ବିଜେଡି ସରକାର ବିରୁଦ୍ଧରେ ଲଢୁଛନ୍ତି ଏବଂ ମୁଁ ନିମିତ ମାତ୍ର । ଝାରସୁଗୁଡାବାସୀଙ୍କ ସୁଖ ଦୁଃଖର ସାଥି ହେବା ପାଇଁ ଆସିଛି ଏବଂ ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ମୋ ସ୍ୱପ୍ନ ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ଦଳୀୟ ପ୍ରାର୍ଥୀ ଶ୍ରୀ ତ୍ରିପାଠୀ ଆଜି ସକାଳେ ଝାରସୁଗୁଡା ସହର ଅନ୍ତର୍ଗତ ୨୦ ଏବଂ ୨୨ ନମ୍ବର ୱାର୍ଡର ମଙ୍ଗଲ ବଜାର ଅଂଚଳକୁ ପଦଯାତ୍ରାରେ ଯାଇ ଘରକୁ ଘରକୁ ବୁଲି ଭୋଟ ପ୍ରଚାର କରିଥିଲେ । ଏହା ପରେ ଅପରାହ୍ନରେ ଶ୍ରୀ ତ୍ରିପାଠୀ ଲଇକେରା ବ୍ଲକର କେନ୍ଦୁଡିହି, ଭାତଲଇଡା, ମୁରାଦିପାଲି, ଓଡିଆପାଲି, ଖାଖମାଲ, ମୁନ୍ଦ୍ରଜୋର, ଗମେରଗୁଡା, ସାଲେଟିକ୍ରା, କୁଲେମରା, ଖିରଡିହି, ଠାକୁରପଡା, ଜୁଗିଆଡିହି, ଲୁଡୁଙ୍ଗ, ଘୁଂଘିପାଲି ଅଂଚଳର ଘରକୁ ଘରକୁ ଯାଇ ଭୋଟ ପ୍ରଚାର କରିଥିଲେ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଝାରସୁଗୁଡା, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ପ୍ରମୁଖ କୋଲାବିରା, ଲଇକେରା, କିର୍ମିରା ବ୍ଲକ ଏବଂ ସହରର ବିଭିନ୍ନ ସ୍ଥାନରେ ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Reply

Your email address will not be published.