ଆସନ୍ତା କାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ, ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାତ୍ୟା ଆସୁଛି। କିନ୍ତୁ କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲଙ୍କ ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନି। ଆଇଏମ୍ଡିର ସୂଚନା, ଆସନ୍ତା କାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଠିକ୍ ସେହି ସ୍ଥାନରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ୮ରେ ଘନୀଭୂତ ହୋଇ ଅବପାତରୂପ ନେବ। ଏହା ଦକ୍ଷିଣକୁ କେନ୍ଦ୍ରୀୟବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ।
୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ୮୦ କିଲୋମିଟର ବେଗରେ ପବନ ବହିବ। ପାଣିପାଗ ବିଜ୍ଞାନୀ ଜାସନ ନିକଲସଙ୍କ ଅନୁମାନ ବାତ୍ୟା-ମିଆଁମାର-ବାଂଲାଦେଶ କିମ୍ବା ଦକ୍ଷିଣପୂର୍ବ ଭାରତ ଉପରେ ପ୍ରଭାବ ପକାଇପାରେ। ୱିଣ୍ଡିର GFS ଓ EMWF ମଡେଲ ମିଆଁମାର ମୁହାଁ ବାତ୍ୟା ଦର୍ଶାଉଛି। ଅର୍ଥାତ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ପ୍ରତି ନାହିଁ ବିପଦ। ତଥାପି ଖରା ଦିନିଆ ବାତ୍ୟାର ଅନିଶ୍ଚିତତା ଦେଖି, ସରକାର ଆଗୁଆ ପ୍ରସ୍ତୁତ ଅଛନ୍ତି।
୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା। ସେପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଗାମୀ ୨୪ ଘଣ୍ଟାରେ ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ୨୩ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ପରେ ଧୀରେ ଧୀରେ ତାପମାତ୍ରା ୩ରୁ ୫ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୭ ତାରିଖ ପରଠାରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ପୁଣି ୪୦ ଡିଗ୍ରୀ ଡେଇଁବା ଅନୁମାନ କରାଯାଉଛି।