ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣରୁ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ବିକ୍ରମ କେଶରୀ ଆରୁଖ। ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି। ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୂଚାରୁ ରୂପେ ତୁଲାଇବି ବୋଲି ପ୍ରେସମିଟ୍ ଜରିଆରେ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଇସ୍ତଫାପତ୍ରକୁ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ପଠାଇଥିବା ସେ କହିଛନ୍ତି। ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ ବିକ୍ରମଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଅନେକ ବିବାଦରେ ଛନ୍ଦି ହୋଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେଥିମଧ୍ୟରୁ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ସମୀରଙ୍କୁ ସିଧାସଳଖ ଭାବରେ ଦାୟୀ କରିଥିଲେ ଧର୍ମେନ୍ଦ୍ରଙ୍କ ପରିବାର ଲୋକ । ପରବର୍ତ୍ତୀ ସମୟରେ ସମୀରଙ୍କ ଜିଲ୍ଲାର ୧୧ନଂ ଜୋନର ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ନିଜ ଅସ୍ତିତ୍ବ ହରାଇଥିଲା ଯାହାକୁ ନେଇ ସମୀରଙ୍କ ଲୋକପ୍ରିୟତା କ୍ଷୀଣ ହେବା ସୂଚନା ପାଇଥିଲା ବିଜେଡି । ଫଳରେ ଉକ୍ତ ସ୍ଥାନରେ ନିଜ ଲୋକପ୍ରିୟତା ଫେରିପାଇବାକୁ ଚେଷ୍ଟା ଆରମ୍ଭ କରିଛି ଶାସକ ଦଳ ।
ଅପରପକ୍ଷରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଜଣେ ବିଜେଡି ନାରୀ ନେତ୍ରୀ ଅସଦାଚରଣ ଅଭିଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଶଙ୍ଖ ଭବନ ଉଦ୍ଘାଟନ ଉତ୍ସବ ସମୟରେ ଉକ୍ତ ନାରୀନେତ୍ରୀ ରାସ୍ତାରେ କାନ୍ଦିକାନ୍ଦି ଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ବିଜେଡିର ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଥିଲା । ଏହାକୁ ଗମ୍ଭୀରତା ସହ ମୁଖ୍ୟମନ୍ତ୍ରୀ ନେଇଥିବା ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ସୁପୁତ୍ରୀ ଦୀପାଳି ଦାସଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।