ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଜୁନ ମାସ ୨୦ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ।
ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ପୂର୍ବାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିଜିପି ଶ୍ରୀ ସୁନୀଲ କୁମାର ବଂସଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।
ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ । ଆବଶ୍ୟକତା ଅନୁଯାୟୀ ବମ୍ ନିଷ୍କ୍ରିୟକାରୀ ଦଳ, ଏଚ୍ଏଚ୍ଏମଡି, ଡିଏମ୍ଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ବାର୍ଡଙ୍କୁ ନିୟୋଜିତ କରାଯିବ। ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ। ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କାରାଯିବ I ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଏଡିଜିପି (ଏସଏପି) ଶ୍ରୀ ଆର.ପି. କୋଚେ, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା , ଏଡିଜିପି (ମୁଖ୍ୟାଳୟ) ଶ୍ରୀ ଆର.କେ. ଶର୍ମା, ପୋଲିସ କମିଶନର (କଟକ–ଭୁବନେଶ୍ବର) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି, କ୍ରାଇମବ୍ରାଞ୍ଚ ଶ୍ରୀ ଅରୁଣ ବୋଥ୍ରା, ଏଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଏଡିଜିପି (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଦୟାଲ ଗଙ୍ଗୱାର, ଏଡିଜିପି (ଆଧୁନିକୀକରଣ) ଶ୍ରୀ ରାଜେଶ କୁମାର, ଆଇ.ଜି. (ପ୍ରୋଭିଜନିଂ) ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି. (କ୍ରାଇମବ୍ରାଞ୍ଚ) ଶ୍ରୀ ଅମିତେନ୍ଦ୍ର ନାଥ ସିହ୍ନା, ଆଇ.ଜି. (ଯୋଗାଯୋଗ) ଶ୍ରୀ ଗଜଭିୟେ ସତିଶ କୁମାର ଈଶ୍ଵରଦାସ, ଆଇ.ଜି. (କେନ୍ଦ୍ରାଞ୍ଚଳ) ଶ୍ରୀ ଆଶିଷ କୁମାର ସିଂ, ଡି.ଆଇ.ଜି. (ଗୁଇନ୍ଦା) ଶ୍ରୀ ଅନୁପ କୁମାର ସାହୁ, ଡି.ଆଇ.ଜି. (ଏସ.ଆଇ.ଡବ୍ଲ୍ୟୁ) ଶ୍ରୀ ଅଖିଳେଶ୍ବର ସିଂ, ଏସ.ପି. (ପୁରୀ), ଡ଼. କନୱାର ବିଶାଲ ସିଂ, ଏସ.ପି. (ମୁଖ୍ୟାଳୟ) ଶ୍ରୀ ରାହୁଲ ଜୈନ, ଏସ.ପି. (ସିଗନାଲ), ଏସ.ପି. (ପିଏମଟି), ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ I