ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କୁ ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଉପହାର, ସବସିଡ୍ରେ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତିରେ, ନିମ୍ନ ଓ ନିମ୍ନ ମଧ୍ୟବିତ୍ତଙ୍କୁ ମୋ’ ଘର ଉପହାର। ଓଡ଼ିଶାରେ ଗୋଟିଏ ବି ଘର କଚ୍ଚା ରହିବ ନାହିଁ। ଏ ଲକ୍ଷ୍ୟରେ କାର୍ଯ୍ୟ ଚାଲିଛି । ଯାହା କିଛି ବଳକା ରହିଛି, ସେ ସବୁ ବି ପକ୍କା ହେବ। ଆରମ୍ଭ ହେଲା ମୋ’ ଘର ଯୋଜନା। ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାପଦଣ୍ଡ ଯୋଗୁ ବାଦ୍ ପଡିଥିବା ପରିବାର ଏହା ଦ୍ୱାରା ଉପକୃତ ହେବେ। ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏ ଯୋଜନା ମାଧ୍ୟମରେ ନିଜ ଘରର ଉନ୍ନତିକରଣ କରିପାରିବେ। ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡ଼ିଥିବା ପରିବାର କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।
‘ମୋ ଘର’ ଯୋଜନାରେ ସେମାନଙ୍କୁ ଘର ପାଇଁ ସବସିଡି ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ସେମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ । ବଡ଼କଥା ହେଲା, ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷ ପର୍ଯ୍ୟନ୍ତ ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଏବଂ ଅନ୍ୟମାନଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ । ୧.୫ ଲକ୍ଷ ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଏବଂ ଅନ୍ୟମାନଙ୍କୁ ୫୫ ହଜାର ସବସିଡି ଦିଆଯିବ । ୨ ଏବଂ ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନ୍ୟମାନଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ । ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ହେଉଛି- (୧) ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ବାସ କରୁଥିବେ(୨) ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନ ଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ପାଇଥିବେ(୩) ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ(୪)ବ୍ୟକ୍ତିଗତ ବ୍ୟବହାର ପାଇଁ ୪ ଚକିଆ ଯାନ ନ ଥିବ(୫) ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ (୬)୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବ ।
ଏହି ଯୋଜନାର ହିତାଧିକାରୀ ହେବା ପାଇଁ ମାପଦଣ୍ଡ ପୂରଣ କରୁଥିବା ବ୍ୟକ୍ତିମାନେ ଜୁନ୍ ମାସ ୧୬ ତାରିଖରୁ ସରକାରୀ ୱେବସାଇଟ୍ ରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୧୮ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଓଡ଼ିଶାରେ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ୩୩୦.୧୭ କୋଟି ମଂଜୁର କରାଯାଇଛି । ସେହିପରି ଭିସୁଟ୍ ର ଉନ୍ନତୀକରଣ ପାଇଁ ୨୦୦୦ କୋଟି ମଂଜୁର ହୋଇଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନରେ ପଞ୍ଜିକରଣ ଫି’ ଛାଡ଼ କରାଯାଇଛି । ବଲାଙ୍ଗୀରରେ ୬ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁର କରିଛି । ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ । ସେହିଭଳି ଗଜପତି ଜିଲ୍ଲାରେ ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ସେଥିପାଇଁ ୩୭୯.୧୬ କୋଟି ଖର୍ଚ୍ଚ ହେବ ।
ଏହାବାଦ୍ ବେସରକାରୀ ଓ ଜୁନିଅର ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁର ମିଳିଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ର ମଂଜୁରୀ ମିଳିଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ । ଏହି କାର୍ଯ୍ୟ ପାଇଁ ୨୦୯ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୬ କୋଟି ୨୧ ଲକ୍ଷ ଖର୍ଚ୍ଚ ପ୍ରସ୍ତାବ କ୍ୟାବିନେଟ୍ ର ମଂଜୁର ଲାଭ କରିଛି । ଓଡିଆ ଫିଲ୍ମ ଡେଲିଭରି ବୟ ଏବଂ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି ।