ଠିକାଦାର ସୁରକ୍ଷା ବାଡ଼ ନଥିବାରୁ ତାଳଦଣ୍ଡା କେନାଲ ଚାଲିଗଲା ଜଣଙ୍କର ଜୀବନ, ଏବେ ଠିକା ସଂସ୍ଥା ଉପରେ ହେବ ତ କାର୍ଯ୍ୟାନୁଷ୍ଠାନ ?
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ। ନିଜ ପତ୍ନୀକୁ ସାଙ୍ଗରେ ଧରି କଲେକ ଛକ ଅଞ୍ଚଳକୁ ଯାଇଥିଲେ ଜ୍ଞାନ ରଞ୍ଜନ ଜେନା। କନ୍ଦରପୁର ଅଞ୍ଚଳର ମୂଳ ବାସିନ୍ଦା କଟକ ସାର୍ତ୍ତୋଳ ଅଞ୍ଚଳରେ ରହୁଥିଲେ। ଦିନ ପ୍ରାୟ ଗୋଟାଏ ବେଳେ କଲେଜ ଛକରୁ ତାଳଦଣ୍ଡା କେନାଲ ରାସ୍ତା ଦେଇ ସାର୍ତ୍ତୋଳ ଫେରୁଥିଲେ। ଜାତୀୟ ରାଜପଥ ପୋଲ ଅତିକ୍ରମ କରିବା ପରେ ଆଗକୁ ମାଡି ଚାଲିଥିଲା ତାଙ୍କ କାର। ହଠାତ ଦେଖିଲେ କେନାଲ କାମ ପାଇଁ ଖୋଳାଖୋଳି ହୋଇଥିବାରୁ ଆଗକୁ ଯିବା ସମ୍ଭବ ନୁହେଁ। ତେଣୁ ପଛକୁ ବ୍ୟାକ କରିଥିଲେ କାର। ନିଜ କାର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଜ୍ଞାନ ରଞ୍ଜନ। ଗାଡି ତାଳଦଣ୍ଡା କେନାଲ ମଧ୍ୟରେ ଖସି ପଡ଼ିଲା।
ସ୍ଥାନୀୟ ଲୋକମାନେ ଗାଡିଟି କେନାଲ ମଧ୍ୟରେ ପଡି ଯିବା ଦେଖି ହୋ ହାଲ୍ଲା କଲେ। ଘଟଣା ସ୍ଥଳରେ ରୁଣ୍ଡ ହୋଇଗଲେ ଶହ ଶହ ଲୋକ। କେନାଲ ମଧ୍ୟରୁ ସ୍ଵାମୀ ସ୍ତ୍ରୀଙ୍କୁ ଉଠାଇଲେ। ଗୁରୁତର ହୋଇ ପଡ଼ିଥିବା ଜ୍ଞାନ ରଞ୍ଜନଙ୍କୁ ଏସସିବି ପଠାଗଲା। କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଗାଡି କେନାଲରେ ପଡି ଯାଇଥିବା ଶୁଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। କାମ ନେଇଥିବା ଠିକାଦାରଙ୍କ ସହିତ ଆଲୋଚନା କରି ତୁରନ୍ତ କେନାଲ କାମ ଶେଷ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ବ୍ୟବସ୍ଥା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ଏସସିବି ଏମସ ପ୍ଲସ ଯୋଜନାରେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ଵରେ ରାସ୍ତା ପ୍ରଶସ୍ତ ହେଉଛି। ଯାହାକି ହସ୍ପିଟାଲରେ ରୋଗୀ ପହଞ୍ଚିବା ସହଜ ହେବ। କିନ୍ତୁ କାମକୁ ଅଧା ପନ୍ତରିଆ କରି ଦୀର୍ଘ ଦିନ ପକାଇ ରଖୁଥିବାରୁ ଜଣେ ବ୍ୟକ୍ତିଙ୍କୁ ଏଭଳି ଅକାଳ ମୃତ୍ୟୁ ଦେଖିବାକୁ ମିଳିଛି।