ତତଲା ତାୱାରେ ଭାଜି ହେଉଛି ଓଡିଶା, ଆହୁରି ୮ଦିନ କଲବଲ କରିବ ତାତି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତତଲା ତାୱାରେ ଭାଜି ହେଉଛି ଓଡିଶା। ଡହ ଡହ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ।ଦିନ ବଢ଼ିବା ସାଙ୍ଗକୁ ତାତି ଅସହ୍ୟ ହେଉଛି। ସକାଳ ୮ଟାରୁ ପାରଦ ୩୩ ଡିଗ୍ରୀ ଟପିଯାଉଛି। ମଧ୍ୟାହ୍ନକୁ ୪୦ ଡିଗ୍ରୀ ପାରହୋଇ ଯାଉଛି। ଗରମ ସାଙ୍ଗକୁ ଗୁଳୁଗୁଳି ଅଣନିଃଶ୍ୱାସୀ କରିଦେଉଛି। ଶୁକ୍ରବାର ତାତି ଆହୁରି ଅସହ୍ୟ ହୋଇଛି।

ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସକୁ ଟପି ଯାଇଛି।୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ୫ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୪୪, ବୌଦ୍ଧ ୪୪, ଝାରସୁଗୁଡ଼ା ୪୩.୮, ହୀରାକୁଦ ୪୩.୬, ବଲାଙ୍ଗୀର ୪୩.୩, ରାଉରକେଲା ୪୩.୨, ସୁନ୍ଦରଗଡ଼ ୪୩, ଭବାନୀପାଟଣା ୪୨.୬, ଫୁଲବାଣୀ ୪୨.୫, ଟିଟିଲାଗଡ଼ ୪୨.୩, ଅନୁଗୋଳ ୪୨.୧, ବରଗଡ଼ ୪୨, ଭବାନୀପାଟଣା ୪୧.୬, ମାଲକାନଗିରି ୪୧.୫, ନୂଆପଡ଼ା ୪୧.୫, ତାଳଚେର ୪୧.୪, ଚାନ୍ଦବାଲି ୪୦.୭, ବାରିପଦା ୪୦.୨, କଟକ ୪୦.୧ ଏବଂ ଭଦ୍ରକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏଭଳି ଉତ୍ତପ୍ତ ପରିବେଶ ଆହୁରି ୮ ଦିନ ବଳବତ୍ତର ରହିବ। ୬ରୁ ୧୦ ତାରିଖରେ ଅସହ୍ୟ ଗରମ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଢେଙ୍କାନାଳ ଜିଲାରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଗରମର ମାତ୍ରା ଏତେ ଅଧିକ ରହୁଛି ଯେ, ଲୋକେ ଚାତକ ଭଳି ବର୍ଷାକୁ ଚାହିଁ ରହିଛନ୍ତି ।

Leave A Reply

Your email address will not be published.