ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।
ଏହି ଭୟାବହ ଟ୍ରେନ ଦୁର୍ଘଟଣା ଯୋଗୁ ୧୧ଟି ଟ୍ରେନର ଗତିପଥରେ ପରିବର୍ତ୍ତନ ହୋଇଥିବାବେଳେ ୧୧ଟି ଟ୍ରେନର ଯାତ୍ରାକୁ ରଦ୍ଦ କରାଯାଇଛି। ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୨୮୪୧ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବାରୁ ଖଡ଼ଗପୁର ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତ୍ତନ ସହ କେତେକ ଟ୍ରେନ ଯାତ୍ରାକୁ ବାତିଲ କରାଯାଇଛି।
ପୁରୀ-ହାୱାଡା ଏକ୍ସପ୍ରେସ, ପୁରୀ-ଶାଲିମାର ଏକ୍ସପ୍ରେସ ଓ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ୩ତାରିଖରେ ଯାତ୍ରା କରିବାକୁ ଥିବା ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ, ବାଙ୍ଗିରିପୋଷୀ ସୁପରଫାଷ୍ଟ ଇଣ୍ଟରସିଟି ଓ ଭୁବନେଶ୍ୱର- ବାଲେଶ୍ୱର ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି।
ସେହିପରି ୨ତାରିଖରେ ଅର୍ଥାତ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା ହାୱାଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାୱାଡା ଏସଏମଭିବି ସୁପରଫାଷ୍ଟ ଏକ୍ସପ୍ରେସ, ହାୱାଡା ମେଲ୍, ଶାଲିମାର-ପୁରୀ ସୁପରଫାଷ୍ଟ,କୋଲକାତା-ପୁରୀ ସୁପରଫାଷ୍ଟ ଏକ୍ପ୍ରେସକୁ ରଦ୍ଦ କରାଯାଇଛି । ସେହିପରି ଦିବ୍ରୁଗଡ଼ ଏକ୍ସପ୍ରେସକୁ ଭଦ୍ରକକୁ ଫେରି ଆସିଥିବାବେଳେ ଅନ୍ୟ ୪ଟି ଟ୍ରେନର ଗତିପଥକୁ ଟାଟାନଗର ଷ୍ଟେସନ ନିକଟରେ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି।