ବାହାନଗା ଟ୍ରେନ ଦୁର୍ଘଟଣା ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ଗଠିତ ଏକ୍ସପର୍ଟ କମିଟି ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମାମଲା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ବାଲେଶ୍ୱର ବାହାନଗାର ରେଳ ଦୁର୍ଘଟଣା ମାମଲାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ଗଠିତ ଏକ୍ସପର୍ଟ କମିଟି ଦ୍ଵାରା ଘଟଣାର ତଦନ୍ତ ସହିତ ଟ୍ରେନ ଗୁଡିକରେ କବଚ ବ୍ୟବସ୍ଥା ଲାଗୁ କରିବାକୁ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ ପ୍ରାର୍ଥନା କରି ସୁପ୍ରିମକୋର୍ଟରେ ରୁଜ୍ଜୁ ହୋଇଛି ମାମଲା। ବିଶାଳ ତିୱାରୀ ନାମକ ଜଣେ ଆଇନଜୀବୀ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ ରୋକିବା ପାଇଁ ‘କବଚ’ ବ୍ୟବସ୍ଥା ଲାଗୁ କରିବାକୁ ପ୍ରାର୍ଥନା କରାଯାଇଛି ।ଏହା ସହିତ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ତୁରନ୍ତ ତଦନ୍ତ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରାର୍ଥନା ହୋଇଛି ।

ରେଳ ସୁରକ୍ଷା ସମ୍ପର୍କରେ ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରି ଏହି ଘଟଣାର ତଦନ୍ତ କରିବାକୁ ପିଟିସନରେ ଆବେଦନ କରାଯାଇଛି। ଏହି ବିଶେଷଜ୍ଞ କମିଟି ଦୁଇ ମାସ ମଧ୍ୟରେ ଘଟଣାର ତଦନ୍ତ ସାରି ସର୍ବୋଚ୍ଚ ନ୍ୟାୟାଳୟରେ ରିପୋର୍ଟ ଉପସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଛି। ଏହି ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ହଜାରରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ତେଣୁ ଏଭଳି ସ୍ପର୍ଶକାତର ଘଟଣାରେ ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।

Leave A Reply

Your email address will not be published.