ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାର ଘରେ ଘରେ ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଣ ଲାଗି ଆମ୍ ଆଦମୀ ପାର୍ଟି ଅଣ୍ଟା ଭିଡ଼ି ସମ୍ମୁଖକୁ ଆସିବା ସହ ଆଗକୁ ଦାବି ପୂରଣ ଲାଗି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦୃପ୍ତ ଘୋଷଣା କରିଛି।ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ପୁରପଲ୍ଲୀରୁ ୫ ଲକ୍ଷ ଲୋକଙ୍କର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଦେବାପାଇଁ ଆଜି ମଧ୍ୟାହ୍ନରେ ଦଳର ପ୍ରାୟ ୨୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଠାରେ ପହଞ୍ଚିଥିଲେ।
ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରତିନିଧି ତଥା ଓ,ଏସ,ଡି,ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ସେ ଏହାର ପ୍ରାପ୍ତି ସ୍ବୀକାର ନ କରିବାରୁ ଦଳର କର୍ମକର୍ତ୍ତା ଆଉ ସମର୍ଥକମାନେ ଦାବିପତ୍ର ଧରି ଫେରିଆସିଥିଲେ ଏବଂ ଦାବି ପୂରଣ ଲାଗି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ବର୍ଷରେ ଆମ୍ ଆଦମୀ ପାର୍ଟି ଓଡିଶା ଶାଖାର ଘରକୁ ଘର ଏହି ମାଗଣା ବିଜୁଳି ଯୋଗାଣ ଦାବି ବିଜେଡି ସରକାରକୁ ଏକ ଅକଳିଆ ସ୍ଥିତିରେ ପକାଇବା ସହ ରାଜ୍ୟରେ ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ଆଜି ପୂର୍ବାହ୍ନରେ ଲୋଅର୍ ପି,ଏମ୍,ଜି, ଠାରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଆମ୍ ଆଦମୀ ପାର୍ଟିର ପ୍ରାୟ ୨୦ ହଜାର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ସମବେତ ହୋଇଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ଉଦ୍ ବୋଧନୀ ସଭାରେ ଆମ୍ ଆଦମୀ ପାର୍ଟିର କେନ୍ଦ୍ରୀୟ ସଦସ୍ୟ ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ, ଦିଲ୍ଲୀର ବିଧାୟକ ତଥା ଓଡ଼ିଶା ପ୍ରଭାରୀ ବୀରେନ୍ଦ୍ର ସିଂହ କାଦିଆନ, ଦଳର ରାଜ୍ୟ ଶାଖା ସଂଯୋଜକ ନିଶିକାନ୍ତ ମହାପାତ୍ର, ରାଜ୍ୟଶାଖା ସମ୍ପାଦକ ସୌମ୍ୟରଞ୍ଜନ ସ୍ଵାଇଁ,ରାଧାରମଣ ଦାସ, ପୃଥ୍ୱୀରାଜ ଦାସ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ଜିଲ୍ଲା ଆଉ ରାଜ୍ୟସ୍ତରୀୟ ସଦସ୍ୟ ପ୍ରମୁଖ ଉଦବୋଧନ ଦେବା ସହ ଏହି ଦାବିର ଯଥାର୍ଥତା ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପିତ କରିଥିଲେ। ଏହାପରେ ଦଳର କର୍ମକର୍ତ୍ତା ଏବଂ ସଭ୍ୟ – ସମର୍ଥକମାନେ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରତ୍ୟେକ ଘରକୁ ଟିକସମୁକ୍ତ ମାସିକ ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଣ ଲାଗି ଆମ୍ ଆଦମୀ ପାର୍ଟି ପକ୍ଷରୁ ଗତ ୨୦୨୧ ଏପ୍ରିଲ ମାସରେ ଭୁବନେଶ୍ୱରରେ ସତ୍ୟାଗ୍ରହ କରାଯାଇଥିଲା ଏବଂ ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ଏଥିଲାଗି ୧୦ ଦିନ ଯାଏ ଅନଶନରେ ବସିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକେ ସତ୍ୟାଗ୍ରହ ସ୍ଥଳକୁ ଆସି ଏହି ଦାବି ପ୍ରତି ସମର୍ଥନ ଞାପନ କରିଥିଲେ। କିନ୍ତୁ ସେତେବେଳେ ରାଜ୍ୟରେ କୋଭିଡର ପ୍ରାଦୁର୍ଭାବ ଏବଂ କଟକଣାକୁ ଦୃଷ୍ଟିରେ ରଖି ଦଳର ସର୍ବଭାରତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଉକ୍ତ ସତ୍ୟାଗ୍ରହକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ଦଳର ନେତା ଆଉ କର୍ମୀମାନେ ରାଜ୍ୟସାରା ଘରକୁ ଘର ବୁଲି ଏହି ଦାବି ସପକ୍ଷରେ ଦସ୍ତଖତ ସଂଗ୍ରହ ଅଭିଯାନ ଚଳାଇଥିଲେ। ଦେୟମୁକ୍ତ ମାଗଣା ବିଜୁଳି ଯୋଗାଣ ସପକ୍ଷରେ ଏପରି ସତ୍ୟାଗ୍ରହ ଏବଂ ଦସ୍ତଖତ ସଂଗ୍ରହ କରିବାରେ ଆମ୍ ଆଦମୀ ପାର୍ଟି ରାଜ୍ୟ ଶାଖା ହେଉଛି ରାଜ୍ୟରେ ପ୍ରଥମ ରାଜନୈତିକ ଦଳ।