ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଝାଡ଼ଖଣ୍ଡ ଜିଲ୍ଲା ଧନବାଦରେ କୋଇଲା ଖଣି ଭୁଶୁଡ଼ି ୩ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି। ଧନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲ୍ (ଭାରତ କୋକିଂ କୋଲ୍ ଲିମିଟେଡ୍)ର ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ କୋଇଲା ଉତ୍ତୋଳନ କରୁଥିବା ପ୍ରାୟ ଦେଢ଼ ଡଜନ ଲୋକ ପୋତି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ୧୫ ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିସିସିଏଲର ଭଉରା କୋଲିଏରି ଅଂଚଳରେ ଏହି ଘଟଣା ଘଟିଛି। ଦେବପ୍ରଭା ନାମକ ଏକ ଆଉଟସୋର୍ସିଂ କମ୍ପାନି ଏହି ଖଣିରେ ଖଣି ଖନନ କରୁଥିଲା । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏହି ରାଷ୍ଟ୍ରାୟତ୍ତ ଖଣିରେ ବେଆଇନ ଖନନ କରି କୋଇଲା ଉତ୍ତୋଳନ କରିଥାନ୍ତି ।
ଶୁକ୍ରବାର ସକାଳେ କିଛି ଲୋକ ବେଆଇନ ଭାବେ କୋଇଲା ଖନନ ପାଇଁ ସେଠାରେ ପ୍ରବେଶ କରିଥିବାବେଳେ ଖଣିର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇଲା ଭଗ୍ନାବଶେଷତଳୁ ୧୪-୧୫ ଜଣଙ୍କୁ ବାହାର କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।