ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଘଣ୍ଟାପ୍ରତି ୫ କିଲୋମିଟର୍ ବେଗରେ ଉତ୍ତର ଦିଗକୁ ଗତିକରୁଛି ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ ଅତ୍ୟନ୍ତ ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଅତି ଉଗ୍ର ପାଲଟିଥିବା ଏହି ସାମୁଦ୍ରିକ ବାତ୍ୟା ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍ ୧୫ ତାରିଖରେ ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ୍ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।ଟୁଇଟ୍ କରି ପାଣିପାଗ ବିଭାଗ ଲେଖିଛି: ରାତି ୨.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦରର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ପ୍ରାୟ ୫୧୦ କିଲୋମିଟର୍ ଦୂର ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।
ଏହା ଆହୁରି ଉଗ୍ର ହୋଇ ଜୁନ୍ ୧୫ ତାରିଖ ସୁଦ୍ଧା ପାକିସ୍ତାନ ଏବଂ ସୌରାଷ୍ଟ୍ର ଓ କଚ୍ ଉପକୂଳ ନିକଟରେ ପହଞ୍ଚିବ।ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ଉପକୂଳରେ ‘ଲ୍ୟାଣ୍ଡ୍ଫଲ୍’ କରିବାର ସମ୍ଭାବନା ନାହିଁ।
କିନ୍ତୁ, ଏହାର ପ୍ରଭାବରେ ସୌରାଷ୍ଟ୍ର ଏବଂ କଚ୍ରେ ପ୍ରବଳ ବର୍ଷା ଓ ବତାସ ହେବ। ଏହାଛଡ଼ା, ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବେ କେରଳର ୮ଟି ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଏବଂ ବତାସ ପ୍ରବାହ ସମ୍ଭାବନା ଥିବାରୁ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।