ଦିନିକିଆ ବିଶ୍ବକପ୍‌ ସୂଚୀ ପ୍ରକାଶ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମ୍ୟାଚ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇସିସି ଦିନିକିଆ ବିଶ୍ବକପ୍‌ର ଖେଳସୂଚୀ ମଙ୍ଗଳବାର ଘୋଷିତ ହୋଇଛି। ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ହେବ। ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ବିଶ୍ବକପ୍‌ ସୂଚୀ ଘୋଷଣା କରାଯାଇଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ଚିଠା ସୂଚୀରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଘୋଷଣା ଅନୁଯାୟୀ, ବିଶ୍ବକପ୍‌ ‌ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଅହମଦାବାଦ୍‌ରେ ଅକ୍ଟୋବର ୫ ତାରିଖରେ ଖେଳାଯିବ। ନଭେମ୍ବର ୧୫ ତାରିଖରେ ମୁମ୍ବାଇ ଓ ୧୬ ତାରିଖରେ କୋଲକାତାରେ ଦୁଇଟି ସେମିଫାଇନାଲ୍‌ ହେବା ପରେ ନଭେମ୍ବର ୧୯ ତାରିଖରେ ଅହମଦାବାଦରେ ମେଗା ଫାଇନାଲ୍‌ ଅନୁଷ୍ଠିତ ହେବ। ରାଉଣ୍ଡ ରବିନ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତି ଦଳ ଅନ୍ୟୁନ ୯ ମ୍ୟାଚ୍‌ ଖେଳିବେ। ଆୟୋଜକ ଭାରତ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।‌ ଅକ୍ଟୋବର ୮ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ।

ଭାରତ ନିଜର ପରବର୍ତୀ ମ୍ୟାଚ୍‌ଗୁଡିକ ଅକ୍ଟୋବର ୧୧ (ଆଫଗାନିସ୍ତାନ, ଦିଲ୍ଲୀ), ଅକ୍ଟୋବର ୧୫ (ପାକିସ୍ତାନ, ଅହମଦାବାଦ), ଅକ୍ଟୋବର ୧୯ (ବାଂଲାଦେଶ, ପୁଣେ), ଅକ୍ଟୋବର ୨୨ (ନ୍ୟୁଜିଲାଣ୍ଡ୍‌, ଧର୍ମଶାଳା), ଅକ୍ଟୋବର ୨୯ (ଇଂଲଣ୍ଡ, ଲକ୍ଷ୍ନୌ), ନଭେମ୍ବର ୨ (କ୍ବାଲିଫା‌ୟର-୨, ମୁମ୍ବାଇ), ନଭେମ୍ବର ୫ (ଦକ୍ଷିଣ ଆଫ୍ରିକା, କୋଲକାତା), ନଭେମ୍ବର ୧୧ (କ୍ବାଲିଫାୟାର-୧, ବେଙ୍ଗାଲୁରୁ) ତାରିଖରେ ଖେଳିବ। ଏହି ବିଶ୍ବକପ୍‌ରେ ଯଦି ପାକିସ୍ତାନ ସେମିଫାଇନାଲ୍‌ରେ ପ୍ରବେଶ କରେ, ତାହେଲେ ଏହାର ମ୍ୟାଚ୍‌ କୋଲକାତାରେ ଖେଳାଯିବ ଏବଂ ଯଦି ଭାରତ ସେମିଫାଇନାଲ୍‌କୁ ଯାଏ, ତାହେଲେ ଏହାର ମ୍ୟାଚ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ। ଯଦି ସେମିଫାଇନାଲ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ପଡ଼େ ତାହେଲେ ଏହି ମ୍ୟାଚ୍‌ କୋଲକାତାରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ବିଶ୍ବକପ୍‌ରେ ମୋଟ ୧୦ ଦଳ ଅଂଶଗ୍ରହଣ କରୁଛନ୍ତି। ରାଉଣ୍ଡ ରବିନ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ଟି ମ୍ୟାଚ୍‌ ଖେଳିବେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ ଦଳ ସିଧାସଳଖ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅଜର୍ନ କରିବେ। ମୋଟ ୧୦ଟି ସ୍ଥାନରେ ବିଶ୍ବକପ୍‌ ମ୍ୟାଚ୍‌ଗୁଡ଼ିକ ଆୟୋଜିତ ହେବ। ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ‌ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତାରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଗୁଆହାଟୀ, ଥିରୁବନନ୍ତପୁରମ୍‌ ଓ ହାଇଦ୍ରାବାଦ୍‌ରେ ୱାର୍ମ ଅପ୍‌ ମ୍ୟାଚ୍‌ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପୂର୍ବରୁ ପାକିସ୍ତାନ ତାହାର ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଭାରତ, ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ସ୍ଥାନ ବଦଳାଇବାକୁ ଅନୁରୋଧ କରିଥିଲେ ବି ତାହାକୁ ବିସିସିଆଇ ଓ ଆଇସିସି ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଭାରତ ଏବେ ତୃତୀୟ ଥର ଦିନିକିଆ ବିଶ୍ବକପ୍‌ ଟ୍ରଫି ହାତେଇବା ଲକ୍ଷ୍ୟରେ ଥିବା ବେଳେ ଘରୋଇ ମାଟିରେ ଦ୍ବିତୀୟ ଟ୍ରଫି ଟେକିବା ଆଶାରେ ରହିଛି। ଭାରତର ତାହାର ୯ ଲିଗ୍‌ ମ୍ୟାଚ୍‌ କୋଲକାତା, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଅହମଦାବାଦ, ଚେନ୍ନାଇ, ପୁନେ, ଧର୍ମଶାଳାରେ ଖେଳିବ। ତେବେ ସମସ୍ତଙ୍କ ନଜର ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଉପରେ ରହିବ। ଦୁଇ ଦେଶ ମଧ୍ୟରେ କୁଟନୈତିକ ସଂପର୍କ ଯୋଗୁଁ ଦ୍ବିପାକ୍ଷିକ କ୍ରିକେଟ୍‌ ଦୀର୍ଘ ବର୍ଷ ହେଲାଣି ବନ୍ଦ ହୋଇଯାଇଛି। କେବଳ ଆଇସିସି ଓ ଏସିସି ଇଭେଣ୍ଟ ଗୁଡ଼ିକରେ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି।

ଶେଷ ଥର ପାଇଁ ଗତବର୍ଷ ଅଷ୍ଟ୍ରେଲିଆରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଥିଲେ। ପାକିସ୍ତାନ ମଧ୍ୟ ଶେଷ ଥର ପାଇଁ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଭାରତ ଆସିଥିଲା। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଯାଇଥିବାରୁ ଆଇସିସି ପକ୍ଷରୁ ପ୍ରକାଶିତ ଖେଳସୂଚୀ ଉପରେ ପିସିବି କ’ଣ ପ୍ରତିକ୍ରିୟା ରଖୁଛି ତାହା ଅସ୍ପଷ୍ଟ ରହିଛି। ତଥାପି ବିଶ୍ବକପ୍‌ରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ ‌ଦଳକୁ ଭାରତ ସରକାର ଏପର୍ଯ୍ୟନ୍ତ ଏନ୍‌ଓସି ପ୍ରଦାନ କରିନାହାନ୍ତି। ଯେପର୍ଯ୍ୟନ୍ତ ଭାରତ ସରକାର ପାକିସ୍ତାନର ଆଗମନ ଉପରେ କୌଣସି ସବୁଜ ସଙ୍କେତ ଦେଇନାହାନ୍ତି ସେପର୍ଯ୍ୟନ୍ତ ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ଉପରେ ଆଶଙ୍କାର ବାଦଲ ଘୋଡ଼ାଇ ହୋଇ ରହିଥିବ। ଦିନିକିଆ ବିଶ୍ବକପ୍‌ର ଇତିହାସକୁ ଦେଖିଲେ ଭାରତ ଓ ପାକିସ୍ତାନ ୭ ଥର ପରସ୍ପରକୁ ଭେଟିଛନ୍ତି। ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫, ୨୦୧୯ରେ ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍‌ସବୁ ହୋଇଥିଲା, ସବୁଥର ଭାରତର ଜିତାପଟ ହୋଇଥିଲା।

Leave A Reply

Your email address will not be published.