ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦରଦାମ ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି। ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଆଗରେ ଜୋରଦାର ପ୍ରତିବାଦ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଘରକୁ ଟମାଟୋ ଓ ପରିବା ମାଡ଼ କରିଛନ୍ତି।
ଏଥିସହ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଛାତ୍ର କଂଗ୍ରେସ ଦରଦାମ ନିୟନ୍ତ୍ରଣ ସହ ସବୁ ଜିଲ୍ଲା ଓ ବ୍ଲକରେ ଶୀତଳଭଣ୍ଡାର ସ୍ଥାପନ କରିବା ଦାବି କରିଛି। ସୂଚନାଯୋଗ୍ୟ, ବିଗତ କିଛି ଦିନ ହେଲା ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି।
ବିନ୍ସ ଓ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହେଉଛି। ବାଇଗଣ, କାଙ୍କଡ଼, ଭେଣ୍ଡି ଆଦି ପରିବାର ଦର ମଧ୍ୟ ପୂର୍ବ ଦର ତୁଳନାରେ ଢେର ଅଧିକ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଅମୃତଭଣ୍ଡା ଓ କଖାରୁକୁ ବାଦ୍ ଦେଲେ ଅନ୍ୟ ପରିବା କିଣିବା ବେଳେ ଗ୍ରାହକଙ୍କୁ ଭାରି ବାଧୁଛି। ଅନ୍ୟପଟେ ସ୍ରାବଣ ମାସ ଯୋଗୁଁ ପରିବାର ଅଧିକ ଚାହିଦା ରହିଛି ।