ଗଙ୍ଗୁଆ ନାଳର ପ୍ରଦୂଷଣ ଅନୁଧ୍ୟାନ ପାଇଁ ଏନଜିଟି ଗଠନ କଲା ୪ ଜଣିଆ କମିଟି, ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ଯୋଗୁଁ ଦୟା ନଦୀ ଓ ଚିଲିକା ପ୍ରଦୂଷିତ ହେଉଥିବା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବୁନାଲ ଉଦବେଗ ପ୍ରକାଶ କରିବା ସହିତ ଏହାର ଅନୁଧ୍ୟାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି। କମିଟି ଗଙ୍ଗୁଆ ନାଳ ଅଞ୍ଚଳ ପରିଦର୍ଶନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଭୁବନେଶ୍ୱରର ପ୍ରଦୂଷିତ ବର୍ଜ୍ୟଜଳ ଗଙ୍ଗୁଆ ନାଳ ଦେଇ ଦୟା ନଦୀ ଓ ଚିଲିକାକୁ ପ୍ରଦୂଷିତ କରୁଥିବା ନେଇ ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଏନଜିଟିରେ ଏକ ପିଟିସନ ଦାୟର କରାଯାଇଛି।

ଏହି ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରି ଏନଜିଟି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ଏନଜିଟି ଗଠନ କରିଥିବା କମିଟିରେ ଖୋର୍ଦ୍ଧା ଜିଲ୍ଲାପାଳ କିମ୍ବା ତାଙ୍କ ପ୍ରତିନିଧି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ ଏବଂ ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ବରିଷ୍ଠ ବୈଜ୍ଞାନିକ ସଦସ୍ୟ ରହିବେ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ କମିଟିର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ରହିଛି। ଏହି କମିଟି ଗଙ୍ଗୁଆ ନାଳର ପ୍ରଦୂଷଣ ମାତ୍ରା ଯାଞ୍ଚ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ପ୍ରଦାନ କରିବେ। ଅଗଷ୍ଟ ୮ ରେ ଏନଜିଟିରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଭୁବନେଶ୍ୱର ଗଙ୍ଗୁଆ ନାଳ ଚନ୍ଦକା ଜଙ୍ଗଲରୁ ବାହାରି ଭୁବନେଶ୍ୱର ସହର ମଧ୍ୟ ଦେଇ ପ୍ରବାହିତ ହୋଇ ଦୟା ନଦୀରେ ମିଶିଛି। ଭୁବନେଶ୍ୱରରେ ଡ୍ରେନେଜ ସଠିକ ଭାବେ କେତେକ ସ୍ଥାନରେ ନଥିବାରୁ ସହରର ବର୍ଜ୍ୟଜଳ ବିଶୋଧନ ନ କରି ଗଙ୍ଗୁଆ ନାଳରେ ଛଡା ଯାଉଛି ବୋଲି ପିଟିସନରେ ଦର୍ଶାଯାଇଛି।

Leave A Reply

Your email address will not be published.