କାଲି ଶ୍ରାବଣର ପ୍ରଥମ ସୋମବାର: ଶିବ ମନ୍ଦିରରେ ପାଣି ଢାଳିବାକୁ ଉତ୍ସାହିତ କାଉଡ଼ିଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାଲି ଶ୍ରାବଣର ପ୍ରଥମ ସୋମବାର: ଶିବ ମନ୍ଦିରରେ ପାଣି ଢାଳିବାକୁ ଉତ୍ସାହିତ କାଉଡ଼ିଆ । ଏଥର ଦୁଇ ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି। ତେବେ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ମହାନଦୀର ଗଡଗଡ଼ିଆ ଘାଟ ପ୍ରକମ୍ପିତ। ପୁରା ଅଂଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଅନ୍ୟପଟେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ଅଗ୍ନିଶମ ଓ ପୁଲିସ | ତେବେ ଦେବଦେବ ମହାଦେବଙ୍କ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । କିଏ ବାବା ଲିଙ୍ଗରାଜ ଙ୍କ ପାଖକୁ ତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି। ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବଭକ୍ତ ମାନଙ୍କର ସୁଅ ଛୁଟିଥାଏ । ଯାହାକୁ ଆଖି ଆଗରେ ରଖି କମିସନରେଟ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ଅଗ୍ନିଶମ ବିଭାଗ ପାୱାର ବୋଟ, ଲାଇଫ ଜାକେଟ, ରୋପ ଲାଇନ, ଆସ୍କା ଲାଇଟ ସହ ୨୪ ଘଣ୍ଟା ସଜାଗ ରହିଛନ୍ତି। ସେହିଭଳି କମିସନରେଟ ପୁଲିସ ପକ୍ଷରୁ କାଉଡ଼ିଆ ମାନଙ୍କୁ ସଚେତନ କରିବା ସହ ଗଭୀର ଜଳକୁ ପ୍ରବେଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ ଟି ମୋବାଇଲ ପେଟ୍ରୋଲିଂ ଟିମ, ୧୩ ଟି ପିସିଆର ରହିବ। ଛକମାନଙ୍କରେ ଫାଷ୍ଟ ଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ୟୁନିଟ ନିୟୋଜିତ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହେବେ। ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ।

Leave A Reply

Your email address will not be published.