ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଖେଳିବ ଭାରତ: ଇଣ୍ଡିଜ୍ ବୋଲରଙ୍କୁ ସାମ୍ନା କରିବେ ଭାରତୀୟ ବ୍ୟାଟର୍
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୦୨୩-୨୫ ଚକ୍ର ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନରୁ ନିରାଶ କରିବା ପରେ ୱେଷ୍ଟଇଣ୍ଡିଜ୍କୁ ବିଶ୍ବ କ୍ରିକେଟ୍ରେ ନିଜର ଅସ୍ତିତ୍ବ ଜାହିର ପାଇଁ ଏହା ପ୍ରଥମ ସୁଯୋଗ। ଏଭଳି ସ୍ଥିତିରେ ଭାରତୀୟ ଦଳକୁ କିଛି ଆହ୍ବାନର ସାମ୍ନା କରିବାକୁ ପଡ଼ିପାରେ। nଚେତେଶ୍ବର ପୂଜାରା ଟେଷ୍ଟ ଦଳରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନ ଖାଲି ପଡ଼ିଛି। ତେଣୁ ଏହି ସ୍ଥାନ ଭରଣା ପାଇଁ କିଏ ଉପଯୁକ୍ତ ହେବ ତାହା ଉପରେ ନଜର ରହିବ। ଅଭ୍ୟାସ ମ୍ୟାଚ୍ର ପ୍ରଦର୍ଶନକୁ ଦେଖିଲେ ଜୟସ୍ବାଲ୍ଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି। ଏପରି ସ୍ଥଳେ ଶୁବମନ ଗିଲ୍ଙ୍କୁ ତୃତୀୟ ସ୍ଥାନ କିମ୍ବା ମଧ୍ୟକ୍ରମରେ ବ୍ୟାଟିଂ ମିଳିପାରେ। କେମାର ରୋଚ୍, ସାନନ୍ ଗାବ୍ରିଏଲ୍, ଅଲଜାରି ଜୋସେଫ୍, ଜାସନ୍ ହେଲ୍ଡରଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମ୍ନା କରି ଜୟସ୍ବାଲ୍ଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କିନ୍ତୁ ଗତ ଦୁଇଟି ଡବ୍ଲୁଟିସି ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣ ଭାରତ ପାଇଁ ଅଧିକ କଷ୍ଟସାଧ୍ୟ ହେବାକୁ ଯାଉଛି। ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ କ୍ରମ ସାମାନ୍ୟ ଦୁର୍ବଳ ଜଣାପଡୁଛି। ଏପରିକି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯାହାବି ଆଶା ଥିଲା, ସେଥିରେ ଆଶଙ୍କା ଲାଗିଛି। ଟେଷ୍ଟ ଦଳର ନିୟମିତ ସଦସ୍ୟ ଈଶାନ୍ତ ଶର୍ମା ଏହି ଶୃଙ୍ଖଳାରେ ଭାଷ୍ୟକାର ଦାୟିତ୍ବ ପାଇଛନ୍ତି।
ଉମେଶ ଯାଦବ ହାର୍ମଷ୍ଟ୍ରିଙ୍ଗ୍ ଆଘାତରୁ ମୁକୁଳିଥିବାରୁ ଲୟକୁ ଫେରିବାରେ ସମସ୍ୟା ଦେଖାଦେଇପାରେ। ତେଣୁ ସବୁ ଚାପ ଏବେ ବୋଲିଂ କ୍ରମର ନେତୃତ୍ବ ନେଉଥିବା ମହମ୍ମଦ ସିରାଜଙ୍କ ଉପରେ ରହିବ। ତାଙ୍କୁ ଶାର୍ଦୁଳ ଠାକୁର ସହାୟତା କରିବେ। ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ଦୁଇ ଜଣ ଅଭିଜ୍ଞ ସ୍ପିନର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। କିନ୍ତୁ ଚତୁର୍ଥ ବୋଲର ପାଇଁ ମୁକେଶ କୁମାର, ଜୟଦେବ ଉନାଦକଟ୍ ଓ ନବଦୀପ ସୈନୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଦଳର ତିନି ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ଭିନ୍ନଭିନ୍ନ ପ୍ରକାରର ଆହ୍ବାନ ଅପେକ୍ଷା କରିଛି। ଉତ୍ଥାନ, ପତନ ଦେଇ ଗତି କରୁଥିବା ରୋହିତଙ୍କ କ୍ୟାରିୟରର ଭବିଷ୍ୟତକୁ ଦିନିକିଆ ବିଶ୍ବକପ୍ ପରେ ବିଚାର କରାଯିବ। କିନ୍ତୁ ଏହା ପୂର୍ବରୁ ୫ ଦିନିଆ ପ୍ରତିଯୋଗିତାରେ ନିଜକୁ ପ୍ରମାଣିତ କରିବା ପାଇଁ ଦୁଇଟି ମ୍ୟାଚ୍କୁ ଜିତିବା ସହ ବ୍ୟକ୍ତିଗତ ପ୍ରଦର୍ଶନକୁ ମଧ୍ୟ ସୁଧାରିବାକୁ ହେବ। କୋହଲିଙ୍କୁ ମଧ୍ୟ କିଛି ବଡ଼ ପାଳି ଖେଳିବାକୁ ପଡ଼ିବ। ଅଫ୍ ଷ୍ଟମ୍ପ୍ ବାହାର ବଲ୍ ପକାଇ ୱେଷ୍ଟଇଣ୍ଡିଜ୍ ବୋଲରମାନେ ତାଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ପୁଣି ବ୍ୟାଟିଂ କ୍ରମରେ ବିଫଳତା ହେଲେ ପ୍ରଥମ ଶିକାରରେ ରାହାଣେଙ୍କ ପାଳି ପଡ଼ିବ। ଯଦିଓ ରାହାଣେଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି, କିନ୍ତୁ ଖାଲିସ୍ଥାନ ପୂରଣ ପାଇଁ ଋତୁରାଜ ଗାଏକ୍ବାଡ୍ ଅପେକ୍ଷାରେ ଅଛନ୍ତି। ତେଣୁ ବ୍ୟକ୍ତିଗତ ରନ୍କୁ ମଧ୍ୟ ବଢାଇବା ରାହାଣେଙ୍କ ପାଇଁ ଅନ୍ୟତମ ଆହ୍ବାନ ରହିବ।