ଜୁଲାଇ ୧୦ ସୁଦ୍ଧା ପ୍ରାୟ ୩.୫୦ ହଜାର କ୍ୱିଣ୍ଟାଲ ଧାନ ଓ ଅଣଧାନ ବିହନ ଯୋଗାଇ ଦିଆଯାଇଛି: ସୂଚନା ଦେଲେ କୃଷି ଓ କୃଷକ ସଶକ୍ତିକରଣ ସଚିବ ଅରବିନ୍ଦ ପାଢ଼ୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଚଳିତ ଖରିଫରେ ଉନ୍ନତ କିସମର ବିହନ ଯୋଗାଣ ଜାରି ରହିଛି । ଜୁଲାଇ ଦଶ ତାରିଖ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ଓ ଅଣଧାନ ବିହନ ରାଜ୍ୟର ସମସ୍ତ ଜିଲ୍ଲାର ଡିଲର ଏବଂ ପ୍ୟାକସ୍ ମାଧ୍ୟମରେ ଯୋଗାଣ କରାଯାଇଛି । ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓଡ଼ିଶାକୁ ଛୁଇଁଥିବା ହେତୁ ବିହନ ଯୋଗାଣ କ୍ଷେତ୍ରରେ ବିଳମ୍ବ ପରିଲକ୍ଷିତ ହେଉଅଛି, ଯାହା ଆଗାମୀ ଦିନରେ ସୁଧୁରି ଯାଇପାରେ ଏବଂ ଜୁଲାଇ ମାସ ଶେଷ ସୁଦ୍ଧା ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିବାରେ ସକ୍ଷମ ହୋଇପାରିବା । ବିହନ ଯୋଗାଣ ଜାରି ରହିଛି ଏବଂ ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଖରିଫରେ ଧାନ ଓ ଅଣଧାନ ବିହନ ଯୋଗାଣ ସଂପର୍କରେ ସମୀକ୍ଷା କରିଥିଲେ । ବିହନ ଯୋଗାଣ ପ୍ରକ୍ରିୟାରେ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ କରାଯାଇଛି । ରିହାତି ପ୍ରଦାନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ରିହାତି ରାଶି ଓଟିପି ମାଧ୍ୟମରେ ଚାଷୀମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସ୍ୱଚ୍ଛତା ଦୃଷ୍ଟିରୁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଡ. ପାଢ଼ୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଓଟିପି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ବରରେ ଦଶ ଜଣ ଚାଷୀଙ୍କ ପାଇଁ ଓଟିପି ଜାରି କରାଯାଉଛି । ଚାଷୀ ପିଛା ସର୍ବାଧିକ ୩ ହେକଫର ଚାଷଜମି ପାଇଁ ବିହନରେ ରିହାତି ଦିଆଯାଉଛି । ଚଳିତ ଖରିଫରେ ଦଶବର୍ଷରୁ ଅଧିକ ଧାନ ବିହନରେ ରିହାତି କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଦଶବର୍ଷରୁ କମ୍ ଅବଧିବିଶିଷ୍ଟ ଧାନ ବିହନରେ କ୍ୱିଣ୍ଟାଲ ପ୍ରତି ୧୫୦୦ ଟଙ୍କା ରିହାତି ବ୍ୟବସ୍ଥା ରହିଛି ।
ସେହିପରି ଖରିଫରେ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ଏବଂ ଚାଷୀମାନଙ୍କ ଖରିଫରେ ଆଳୁ ବିହନ ପ୍ରତି ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । ଅଦ୍ୟାବଧି ୪୦ ହଜାର କ୍ୱିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି, ଯାହାକି ପୂର୍ବବର୍ଷ ରବି ଋତୁଠାରୁ ଅଧିକ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭବେଶ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗାଦେଇଥିଲେ । ତାପସ କୁମାର ସାହା