ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଷାଡ଼ ଯାଇ ଶ୍ରାବଣ ଅଧା ହେଲାଣି। ବର୍ଷାର ଦେଖା ନାହିଁ। ଚାଷୀ ଆକାଶକୁ ଚାହିଁ ରହିଛି। ରାଜ୍ୟର ଅଧା ଜିଲାରେ ଜମି ଫାଟି ଆଁ କଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍ ପହିଲାରୁ ଜୁଲାଇ ୧୨ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି।ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୩୨୩.୬ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୨୩୮.୮ ପ୍ରତିଶତ । କଳାହାଣ୍ଡିରେ ସ୍ବାଭାବିକ ଠାରୁ ୬୨ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ୬୩, ରାୟଗଡା ୫୪, ମୟୂରଭଞ୍ଜ ୫୪, କନ୍ଧମାଳ ୪୭, ଗଞ୍ଜାମ ୪୦, ପୁରୀ ୪୨, କେନ୍ଦ୍ରାପଡା ୪୮, ବାଲେଶ୍ୱର ୪୦, ଖୋର୍ଦ୍ଧା ୩୮, ଯାଜପୁର ୩୭, ଜଗତସିଂହପୁରରେ ୩୬ ପ୍ରତିଶତ କମ ବର୍ଷା ହୋଇଛି। ମୌସୁମୀ ଦୁର୍ବଳ ଥିବାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି। ତେବେ ନିରାଶ ଭିତରେ ଆଶର ସଞ୍ଚାର ହୋଇଛି। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଅଳ୍ପ ବହୁତ ବର୍ଷା ଆରମ୍ଭ ହେବ। ୧୮ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
ଏହା ଘନୀଭୂତ ହୋଇ ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷଣି, ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ପଶ୍ଚିମ ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ଏ ନେଇ ସ୍ପଷ୍ଟ ସଙ୍କେତ ଦେଇ ନ ଥିଲେ ମଧ୍ୟ ବିଭିନ୍ନ ପାଣିପାଗ ମଡେଲରୁ ଏହା ଜଣାପଡ଼ିଛି।
ବିଶେଷକରି ମାଲକାନଗିରି,ନବରଙ୍ଗପୁର, କନ୍ଧମାଳ, ଗଜପତି, ରାୟଗଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।