୨୦ ବର୍ଷ ପରେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗରେ ଆସିଲା ରାୟ, ସେସ୍କୋର ତ୍ରୁଟି ପାଇଁ ଟିପିସିଓଡିଏଲ ଭରିବ ସାଢ଼େ ୪ ଲକ୍ଷ ଟଙ୍କାର କ୍ଷତିପୂରଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୀର୍ଘ ୨୦ ବର୍ଷ ପରେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗରେ ଆସିଲା ରାୟ। ସେସ୍କୋର ତ୍ରୁଟି ପାଇଁ ଟିପିସିଓଡିଏଲକୁ ସାଢ଼େ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଖାଉଟି ଅଦାଲତ। ୨୦୦୩ ମସିହା ଜୁନ ୨ ତାରିଖରେ ଉପକୂଳ ଓଡିଶାରେ ହୋଇଥିଲା ଏକ ବଡ଼ ଝଡ଼। ଏଥିରେ ନୟାଗଡ଼ ଶରଣକୂଳରେ ଥିବା ଦୁଇଟି ୨୨୦ କେଭି ବିଦ୍ୟୁତ ଟାୱାର ଭାଙ୍ଗି ଯାଇଥିଲା ଫଳରେ କଟକ ଭୁବନେଶ୍ୱର ସମେତ ଚାରୋଟି ଜିଲା କଟକ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା। ୪ ଦିନ ଧରି ଚାରୋଟି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅନ୍ଧକାରରେ ରହିଥିଲା। ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ। ଏହା ପ୍ରତିବାଦରେ ଚାରୋଟି ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପକ୍ଷରୁ ରାଜ୍ୟ ଖାଉଟି ଅଦାଲତରେ ଏକ ମାମଲା କଟକର ଗିରିଜା ପ୍ରସାଦ ତ୍ରିପାଠୀ ଦାୟର କରିଥିଲେ। ଦୀର୍ଘ ୨୦ ବର୍ଷ ମଧ୍ୟରେ ଏକାଧିକ ବାର ଏହି ମାମଲାର ଶୁଣାଣି ଖାଉଟି ଅଦାଲତରେ ହୋଇଥିଲା।

ସେସ୍କୋର ଅବହେଳା ଓ ଟାୱାର ଦୁଇଟିର ବେସ କାମ ସଠିକ ହୋଇ ନଥିବାରୁ ଟାୱାର ଭାଙ୍ଗି ଗଲା ବୋଲି ଖାଉଟି ଅଦାଲତରେ ପ୍ରମାଣିତ ହୋଇଥିଲା। ମାମଲା ୨୦୦୩ ଜୁନ ୨୧ ତାରିଖରେ ରୁଜ୍ଜୁ ହୋଇଥିବା ବେଳେ ଖାଉଟି ଅଦାଲତରେ ଚୂଡାନ୍ତ ଶୁଣାଣି ୨୦୨୩ ଜୁନ ୨୧ ରେ ହୋଇଥିଲା। ୨୦ ବର୍ଷ ଏ ମାମଲା ସଂକ୍ରାନ୍ତରେ ୪୪ ଟି ତାରିଖ ହୋଇ ଶୁଣାଣି ହୋଇଥିଲା। ରାଜ୍ୟ ଖାଉଟି ବିବାଦ ଆୟୋଗର ସଭାପତି ଜଷ୍ଟିସ ଡି ପି ଚୌଧୁରୀ, ସଦସ୍ୟ ପି କେ ପୃଷ୍ଟି ଓ ସଦସ୍ୟ ଏସ ଏଲ ପଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଚୂଡାନ୍ତ ଶୁଣାଣି କରି ଟାଟା ପାୱାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟି ଅଦାଲତରେ ଥିବା ଖାଉଟି ଲିଗାଲ ଏଡ଼ ଫଣ୍ଡକୁ ୩ ଲକ୍ଷ ଟଙ୍କା, ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ୫୦ ହଜାର ଟଂକା ମାମଲାର ଖର୍ଚ୍ଚ ପାଇଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ୪୫ ଦିନ ମଧ୍ୟରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବାବେଳେ ୪୫ ଦିନ ମଧ୍ୟରେ ପ୍ରଦାନ ନ କଲେ ବାର୍ଷିକ ୧୨ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କହ୍ନେୟାଲାଲ ଶର୍ମା ଏହି ମକଦ୍ଦମା ପରିଚାଳନା କରୁଥିଲେ।

Leave A Reply

Your email address will not be published.