୬ ଟ୍ରେନି ଆଇଏଏସ୍ ଅଧିକାରୀ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ, ବିଦ୍ୟାଳୟ ସ୍ତରରେ ରୂପାୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କଲେ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା କ୍ୟାଡର ୬ଜଣ ଟ୍ରେନି(ପ୍ରଶିକ୍ଷାର୍ଥି) ଆଇଏଏସ୍ ଅଧିକାରୀ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେଉଥିବା ଏହି ପ୍ରଶାସନିକ ଅଧିକାରୀ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ସ୍ତରରେ ରୂପାୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ଓ ଅନ୍ୟାନ୍ୟ ବରଷ୍ଠ କର୍ମକର୍ତ୍ତାମାନେ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ । ଏହାସହ ଅନୁପମ ସାହା ସେମାନଙ୍କୁ ପ୍ରଶାସନିକ ଶାସନ ବ୍ୟବସ୍ଥା ବିଷୟରେ ପରାମର୍ଶ ଦେଇଥିଲେ। ଟ୍ରେନିଂ ଆଇଏଏସ୍ ଅଧିକାରୀମାନେ ଚନ୍ଦ୍ରଶେଖରପୁରଠାରେ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପରିଦର୍ଶନ କରିଥିଲେ । ସେଠାରେ ସେମାନେ ପିଲାମାନଙ୍କ ସହ ଆଲୋଚନା କରିଥିଲେ ।
୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଥିଲା। ଚଳିତ ଶିକ୍ଷାବର୍ଷରୁ ପ୍ରଚଳିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ବର୍ଗ ବିଷୟରେ ସେମାନଙ୍କୁ ଧାରଣା ପ୍ରଦାନ କରାଯିବା ସହ ୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାସହ ପ୍ରି-ସ୍କୁଲିଂ, ଏଫ୍ଏଲ୍ଏନ୍ ଓ ଭିଏସିକେ(ବିଦ୍ୟା ସମୀକ୍ଷା କେନ୍ଦ୍ର)ସମ୍ବନ୍ଧରେ ମଧ୍ୟ ପ୍ରାଥମିକ ଧାରଣା ପ୍ରଦାନ କରାଯାଇଥିଲା । ସୂଚନା ଥାଉକି ଓଡିଶା କ୍ୟାଡର ୨୦୨୧ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧିନା ଦସ୍ତାଗିର୍, ଧିମନ୍ ଚକ୍ମା, କିରନ୍ ଦିପ୍ କାଉର୍ ସାହୋତା, ପ୍ରଥମେଶ୍ ଅରବିନ୍ଦ୍ ରାଜେଶିର୍କେ, ରେହାନ୍ ଖତ୍ରି ଓ ରିନା ପ୍ରଧାନ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।