ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଲଘୁଚାପ ଜନିତ ବର୍ଷାରେ ବେହାଲ ରାଜ୍ୟର ସ୍ଥିତି। ଆଉ ଏକ ଲଘୁଚାପ ଆସୁଥିବାରୁ ବଢୁଛି ବିପଦ । ଜଗତସିଂହପୁରରେ କେନାଲ ବନ୍ଧ ଘାଇ ଭାଙ୍ଗିବା ପରେ ରାସ୍ତା ଲହଡ଼ି ଭାଙ୍ଗୁଛି ପାଣି । ଏପଟେ ଯାଜପୁରରେ ମରାମତି ହୋଇନଥିବା ଦୁର୍ବଳ ବନ୍ଧକୁ ନେଇ ଚିନ୍ତାରେ ଲୋକ। ଆଗୁଆ ସତର୍କତାମୂଳକ ପଦକ୍ଷେପ ଅଭାବରୁ ବଢଛୁ ଲୋକଙ୍କ ସମସ୍ୟା। ଉପକୂଳରେ ବିପଦ ବଢ଼ାଉଛି ନଦୀ ବନ୍ଧ ଓ କେନାଲ ବନ୍ଧରେ ଘାଇ ।
ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲର ଦଳେଇଘାଇରେ ୧୫ ଫୁଟ ଓ ତରିକୁନ୍ଦରେ ୨୦ ଫୁଟର ଘାଇ ସୃଷ୍ଟି ହେବା ପରେ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ଯାହା ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ଷା ପୂର୍ବରୁ ନଦୀ ସହ କେନାଲ ବନ୍ଧ ସୃଦୁଢ଼ ଥିବା ଦୃଢ଼ୋକ୍ତି ପ୍ରକାଶ କରୁଥିବା ପ୍ରଶାସନର ଅପାରଗତା ପଦାରେ ପଡ଼ିଛି । ସେପଟେ ଯାଜପୁରରେ ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ଗ୍ରାମବାସୀ। ବର୍ଷାଋତୁର ବହୁ ପୂର୍ବରୁ ଲୋକ ମରାମତି ଦାବି କରିଥିଲେ ବି ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଲୋକେ । ଏପଟେ ପୁରୀ ଜିଲ୍ଲା ବଳଙ୍ଗା ନିକଟ ଦକ୍ଷିଣ ରାଡସରେ ଭାର୍ଗବୀ ନଦୀ ବନ୍ଧ ଫାଟି ଆଁ କରିଛି । ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହେବା ଆଶଙ୍କା ଲୋକଙ୍କ ନିଦ ହଜାଇଛି ।
500ରୁ 700 ମିଟର ପର୍ଯ୍ୟନ୍ତ ବନ୍ଧ ଅବସ୍ଥା ଦୁର୍ବଳ ଥିବାରୁ ଘାଇ ହେଲେ 10ରୁ ଅଧିକ ପଞ୍ଚାୟତବାସୀ ପ୍ରଭାବିତ ହେବା ନିଶ୍ଚତ । ଜରୁରୀକାଳୀନ ଭାବେ ବନ୍ଧ ମରାମତି କରିବାକୁ ଲୋକେ ଦାବି କରିଥିବାବେଳେ ଘଟଣା ସ୍ଥଳକୁ ଯାଇ ତଦାରଖ କରିବାକୁ କହିଛନ୍ତି ଜଳ ସମ୍ପଦ ଯନ୍ତ୍ରୀ । ଏପଟେ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଚିନ୍ତା ବଢ଼ାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାସହ 7 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ 11 ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 17 ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା ଥିବାରୁ ସବୁ ଜିଲ୍ଲାପାଳ ଓ ମୁନ୍ୟିସିପାଲ୍ କମିଶନରଙ୍କୁ ଆଲର୍ଟ କରିଛନ୍ତି ଏସଆରସି। ନଦୀ ଓ କେନାଲ ବନ୍ଧରେ ଘାଇ ସହିତ ତଳିଆ ସ୍ଥାନରେ ଜଳବନ୍ଦୀ ସମସ୍ୟାକୁ ଲୋକଙ୍କ ଚିନ୍ତା ବଢ଼ିଛି ।
2 ଦିନର ବର୍ଷାରେ ସ୍ଥିତି ବେହାଲ ହୋଇଥିବାବେଳେ ଆଗକୁ ବଡ଼ ବର୍ଷା ଆସୁଥିବାରୁ ପ୍ରଶାସନ କିପରି ମୁକାବିଲା କରିବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।