କାଲି ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ବୈଠକ, ଯୋଗ ଦେବେ ୨୪ ରାଜନୈତିକ ଦଳ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କାଲି ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ବୈଠକ। ଦୁଇ ଦିନ ଧରି ଚାଲିବ ଏହି ବୈଠକ। ୨୪ ରାଜନୈତିକ ଦଳ ଯୋଗ ଦେବେ । ବିଜେପି ବିରୋଧରେ ରଣହୁଂକାର ଦେବେ ବିରୋଧୀ। ଗତମାସ ୨୩ ତାରିଖରେ ପ୍ରଥମ ବୈଠକ ବିହାର ପାଟନାରେ ହୋଇଥିଲା। ନିଜ ନିଜର ସ୍ୱାର୍ଥରୁ ଦୂରରେ ରହି ମିଳିତ ମୋର୍ଚ୍ଚା ପାଇଁ ବିରୋଧୀ ତୟାର ହେଉଛନ୍ତି। ଦେଶର ସବୁ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ବିରୋଧରେ ଜଣେ ମିଳିତ ସାଧାରଣ ପ୍ରାର୍ଥର୍ୀ ଦେବାକୁ ଯୋଜନା କରୁଛନ୍ତି ବିରୋଧୀ। ଏହା ଉପରେ ଆସନ୍ତାକାଲି କିଛି ନିଷ୍ପତ୍ତି ହୋଇପାରେ। ବୈଠକ ପୂର୍ବରୁ ବେଙ୍ଗାଲୁରୁରେ ଏକାଠି ହେବାକୁ ଥିବା ସବୁ ରାଜନୈତିକ ଦଳର ମୁଖିଆଙ୍କ ପୋଷ୍ଟର ଲାଗିଛି। ଅନ୍ୟପଟେ ବୈଠକରେ ଆମ ଆଦମୀ ପାର୍ଟି ଯୋଗ ଦେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଦିଲ୍ଲୀ ପ୍ରଶାସନିକ ସେବାକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ ବୋଲି ସ୍ପଷ୍ଟ କରିବା ପରେ ପରେ ବୈଠକରେ ଯୋଗ ଦେବାକୁ ଆପ୍‌ ନିଷ୍ପତ୍ତି ନେଇଛି। ଆପ୍‌ର ପଲିଟିକାଲ ଆଫାୟାର୍ସ କମିଟି ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ଆପ୍‌ ସାଂସଦ ରାଘବ ଚଢ଼ା। କଂଗ୍ରେସ ଓ ଆପ୍‌ ମଧ୍ୟରେ ଥିବା ବିବାଦକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଧାନ କରିଥିବା ସୂଚନା ମିଳିଛି। ଆସନ୍ତାକାଲି ବେଙ୍ଗାଲୁରୁ ବୈଠକରେ ଆପ୍‌ ପକ୍ଷରୁ କେଜ୍ରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଓ ଆପ୍‌ ସାଂସଦ ସଂଜୟ ସିଂ ଯୋଗ ଦେବେ।

Leave A Reply

Your email address will not be published.