ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଥମ ମହିଳା ଦିନିକିଆରେ ଭାରତକୁ ପ୍ରଥମ ଥର ହରାଇଲା ବାଂଲାଦେଶ। ଆଇସିସି ମହିଳା ଦିନିକିଆ ଚାମ୍ପିଅନ୍ସିପ୍ ୨୦୨୨-୨୫ ଚକ୍ରରେ ବାଂଲାଦେଶ ରବିବାର ପ୍ରଥମ ବିଜୟ ପାଇଛି। ଘରୋଇ ଦଳ ଏଠାରେ ଖେଳାଯାଇଥିବା ଲୋ ସ୍କୋରିଂ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତକୁ ୪୦ ରନ୍ (ଡିଏଲ୍ଏସ୍)ରେ ହରାଇ ଦେଇଛି। ଏଥିସହ ଭାରତ ବିପକ୍ଷରେ ବାଂଲାଦେଶ ମହିଳା ଦଳ ଦିନିକିଆରେ ପ୍ରଥମ ବିଜୟ ସ୍ବାଦ ପାଇଛି। ଦିନିକିଆରେ ବାଂଲାଦେଶଠୁ କେବେ ହାରିନଥିବା ଭାରତ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ମାପଚୁପ ବୋଲିଂ ଯୋଗୁଁ ଘରୋଇ ଦଳକୁ ୧୫୨ ରନ୍ରେ ଅଟକାଇଥିଲା ଭାରତ। ହେଲେ ବାଂଲାଦେଶର ୧୮ ବର୍ଷୀୟା ମାରୁଫା ଅକତର (୭-୦-୨୯-୪)ଙ୍କ ଘାତକ ବୋଲିଂ ଯୋଗୁଁ ଭାରତର ବ୍ୟାଟିଂକ୍ରମ ନିଷ୍ଫଳ ରହିଥିଲା। ଫଳରେ ଭ୍ରମଣକାରୀ ଭାରତୀୟ ଦଳ ୩୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ରାବେୟା ଖାନ ମଧ୍ୟ ୩/୩୦ ବୋଲିଂ ସଫଳତା ପାଇଥିଲେ।
ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୨୦ ରନ୍ କରିଥିଲେ। ପୂର୍ବରୁ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ନିଗର ସୁଲତାନ ୩୯, ଫାର୍ଗାନା ହକ୍ ୨୯ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିଥିବା ଅମନଜୋତ କୌର ୪/୩୧ ବୋଲିଂ ସଫଳତା ପାଇଥିଲେ। ମାରୁଫା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଦିନିକିଆ ବୁଧବାର ଖେଳାଯିବ। ବାଂଲାଦେଶ ୪୩ ଓଭରରେ ୧୫୨ (ନିଗାର ସୁଲତାନ-୩୯, ଫର୍ଗାନା ହକ୍-୨୭, ଅମନଜୋତ କୌର-୪/୩୧, ଦେବୀକା ବୈଦ୍ୟ-୨/୩୬)। ଭାରତ ୩୫.୫ ଓଭରରେ ୧୧୩ (ଦୀପ୍ତି ଶର୍ମା-୨୦, ୟାସ୍ତିକା ଭାଟିଆ-୧୫, ଅମନଜୋତ କୌର-୧୫, ମାରୁଫା ଅକତର-୪/୨୯, ରାବେୟା ଖାନ-୩/୩୦) ସ୍କୋର କରିଛନ୍ତି।