ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ମୃତ୍ୟୁକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ । କାହିଁକି ଚିତାଙ୍କର ମୃତ୍ୟୁ ହେଉଛି? ମୃତ୍ୟୁ ପଛରେ କାରଣ କ’ଣ? ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ତେବେ କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ଚିତା ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା। କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନସର୍ବସ୍ୱ ଓ କପୋଳକଳ୍ପିତ। ଏହା ଗୁଜବ ଓ ଅସତ୍ୟ।