ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ସାହିତ୍ୟ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସେ ସମବେଦନା ଜ୍ଞାପନ କରିଛନ୍ତି । ରାଜ୍ୟ ଜଣେ ବୁଦ୍ଧିଜିବୀ, ଅମ୍ଲାନ ପ୍ରତିଭା ଓ ସାରସ୍ବତ ସାଧକଙ୍କୁ ଆଜି ହରାଇଲା ବୋଲି ଶ୍ରୀ ପାତ୍ର କହିଛନ୍ତି । ଜଗତର ନାଥ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।
ସେହିଭଳି ଶ୍ରୀ ରାଉତଙ୍କ ବିୟୋଗରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ, ଯୁଗ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।
ସୂଚନା ଯୋଗ୍ୟ ଗତ ରବିବାର ଦିନ କଟକସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ସେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟାରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ଗତ ମଇ ୨୮ ତାରିଖ ୨୦୨୧ ମସିହାରୁ ସେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ସୂଚାରୁ ରୂପେ କାର୍ଯ୍ୟ କରି ଆସୁଥିଲେ ।