ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ଭୁବନେଶ୍ବରରୁ ମୟୂରଭଂଜ ଜିଲ୍ଲା କରଂଜିଆ ଯିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯାଜପୁର ଜିଲ୍ଲା ଯାଜପୁରରୋଡ୍‌ ଅନ୍ତର୍ଗତ ଜହ୍ନା ଛକରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟିପଡ଼ିଛି। ଫଳରେ କିଛି ଶିଶୁଙ୍କ ସମେତ ମୋଟ୍‌ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଘରୋଇ ବସ୍‌ ‘ନାୟକ’ (ଓଆର ୦୨ ବିଏସ୍‌  ୦୦୪୫) ଭୁବନେଶ୍ବରରୁ କରଂଜିଆ ଅଭିମୁଖେ ବାହାରି ଥିଲା। ବସ୍‌ରେ ମୋଟ୍‌ ୪୫ ଜଣ ଯାତ୍ରୀ ଥିଲେ। ବସ୍‌ଟି ଯାଜପୁରରୋଡ୍‌ର ଜହ୍ନାଛକରେ ପହଞ୍ଚିବା ମାତ୍ରେ ସନ୍ଧ୍ୟା ୫ଟା ୧୫ ମିନିଟରେ କୌଣସି କାରଣରୁ ଭାରସାମ୍ୟ ହରାଇଥିଲା। ଫଳରେ ସେଠାରେ ଓଲଟି ପଡ଼ିଥିଲା। ଏହି କାରଣରୁ ୧୫ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କର ସହାୟତରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ କଟକ ଓ ଅନ୍ୟ ୨ ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କଟକକୁ ସୁମିତ୍ରା ନାୟକ (୨୫), ସୁନୀତା ନନ୍ଦ (୨୮), ରାକେଶ ବେଉରା (୨୫), ବଳରାମ ନାୟକ (୩୩), ଗମ୍ଭା ସିଂ (୪୧), ଫାଲଗୁନୀ ହୋ (୫୦) ଓ ଦୁଷ୍ମନ୍ତ ରଣା (୪୧) ସ୍ତାନାନ୍ତରିତ କରାଯାଇଛି। ସେହିପରି ସୌମ୍ୟାଶ୍ରୀ (୬୦) ଓ ଦୁଇ ବର୍ଷର ଜଣେ ବାଳକକୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

Leave A Reply

Your email address will not be published.