ମେଣ୍ଟ ଯଦି ଅସଫଳ ହୁଏ ଅଥବା ଭାଙ୍ଗିଯାଏ, ଖବର ପ୍ରକାଶ ପାଇବ ‘ଇଣ୍ଡିଆ ବିଫଳ ହେଲା, ଇଣ୍ଡିଆ ଭାଙ୍ଗି ଗଲା’: ଶର୍ମିଷ୍ଠା ମୁଖାର୍ଜୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୬ ଦଳଙ୍କ ଏହି ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ଶର୍ମିଷ୍ଠା ଟୁଇଟ୍‌ କରି କହିଛନ୍ତି, ଆମ ଦେଶର ନାମ କୌଣସି ବ୍ୟକ୍ତି ତଥା ଦଳରୁ ବହୁତ ବଡ଼। ବିରୋଧୀଙ୍କ ‘ଇଣ୍ଡିଆ’ ନାମ ରଚନାତ୍ମକ। ଏହି ମେଣ୍ଟ ଯଦି ଅସଫଳ ହୁଏ ଅଥବା ଭାଙ୍ଗିଯାଏ ତେବେ କ’ଣ ହେବ। କ’ଣ ସେନେଇ ଖବର ପ୍ରକାଶ ପାଇବ ‘ଇଣ୍ଡିଆ ବିଫଳ ହେଲା, ଇଣ୍ଡିଆ ଭାଙ୍ଗି ଗଲା’।

କୌଣସି ମେଣ୍ଟ, ଦଳ ଏବଂ ନେତାକୁ ଦେଶକୁ ନେଇ ଏଭଳି କରିବା ଉଚିତ ନୁହେଁ। କାରଣ ଆମ ଦେଶ ଏସବୁରୁ ବହୁତ ବଡ଼ ବୋଲି ସେ କହିଛନ୍ତି।

ଅନ୍ୟପଟେ ‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ମେଣ୍ଟର ନାଁ ‘ଇଣ୍ଡିଆ’ ଦେଇଥିବା ବିରୋଧୀ ଦଳମାନେ ତା’ର ଟ୍ୟାଗ୍‌ଲାଇନ୍‌’ ରଖିଛନ୍ତି ‘ଜିତେଗା ଭାରତ୍‌’। ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ୨୬ ବିରୋଧୀ ଦଳ ମେଣ୍ଟର ନାଁ ‘ଆଇ.ଏନ୍‌.ଡି.ଆଇ.ଏ.’— (ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍‌ସ୍‌) ରଖିବାକୁ ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ୨ଦିନିଆ କନ୍‌କ୍ଲେଭ୍‌ରେ ବିରୋଧୀ ଦଳର ନେତାମାନେ ସ୍ଥିର କରିଥିଲେ।

ମେଣ୍ଟର ନାଁ ‘ଭାରତ’କୁ ପ୍ରଦର୍ଶନ କରିବା ଉଚିତ ବୋଲି ସେମାନେ ଚିନ୍ତା କରିଥିଲେ। କିନ୍ତୁ, ଏଥିରେ ଗୋଟାଏ ‘ଟ୍ୟାଗ୍‌ଲାଇନ୍‌’ ସଂଯୋଗ କରିବା ଲାଗି ପରେ ସେମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ। ତେଣୁ, କେତେ ଜଣ ନେତାଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ‘ଜିତେଗା ଭାରତ’ ଟ୍ୟାଗ୍‌ଲାଇନ୍‌କୁ ଗୃହୀତ କରାଯାଇଥିଲା। ବିରୋଧୀ ସାମ୍ମୁଖ୍ୟର ନାମ ଘୋଷଣା କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଥିଲେ, ୨୦୨୪ ନିର୍ବାଚନ ହେବ

‘ବିଜେପି’ର ଆଦର୍ଶବାଦ ଓ ଚିନ୍ତାଧାରା ବିରୋଧରେ ସଂଗ୍ରାମ। ‘ଏନ୍‌ଡିଏ’ ଓ ‘ଇଣ୍ଡିଆ’ ଏବଂ ନରେନ୍ଦ୍ର ମୋଦୀ ଓ ‘ଇଣ୍ଡିଆ’ ତାଙ୍କ ଆଦର୍ଶବାଦ ଓ ଇଣ୍ଡିଆ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସବୁ ପ୍ରତିଦ୍ବନ୍ଦ୍ବିତାରେ ଭାରତ ସର୍ବଦା ବିଜୟୀ ହୋଇଥାଏ।

Leave A Reply

Your email address will not be published.