5 T ସ୍କୁଲର ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ଫାଟିଲା ମୁଣ୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 5 T ସ୍କୁଲର ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ଫାଟିଲା ମୁଣ୍ଡ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠ ରୂପାନ୍ତରିତ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟର କାର୍ଯ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟିଛି। ଉଭୟ ରକ୍ତରେ ଜୁଡୁବୁଡୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଗୁରୁତର ଆହତଙ୍କ ମଧ୍ୟରେ ସିଆରସିସି ତ୍ରିଲୋଚନ ବେହେରା ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ରହିଛନ୍ତି। ଉଭୟ ଆହତଙ୍କୁ ଜଗତସିଂହପୁର ଜିଲ୍ଲାର ମାଛଗାଁସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା କରାଯାଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ନେଇ ଖବର ମିଳିଛି।

ସୂଚନା ଅନୁସାରେ ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ବୁଧବାର କ୍ଲଷ୍ଟର ସ୍ତରୀୟ ଏକ ବୈଠକ ଆୟୋଜନ ହେବାର ଥିଲା। ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ। ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ। ଏହି ସମୟରେ ଅଫିସ୍ ଘର ସିଲିଂରୁ ହଠାତ୍ ପ୍ଲାଷ୍ଟର ଖସିଥିଲା। ଫଳରେ ସିଆରସିସି ଓ ଶିକ୍ଷୟିତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତର ଆହତ ହୋଇ ରକ୍ତରେ ଜୁଡୁବୁଡୁ ହୋଇଥିଲେ। ଏହି ଅଘଟଣ ପରେ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲା ମାଛଗାଁସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆଶୁ ଚିକିତ୍ସା କରାଇଥିଲେ। ସେଠାରେ ଉଭୟଙ୍କ ମୁଣ୍ଡରେ ଷ୍ଟିଚ୍ ପକାଇବା ସମେତ ଡ୍ରେସିଂ କରାଯାଇଥିଲା। କିନ୍ତୁ ଶିକ୍ଷୟିତ୍ରୀ ଜଣକ ଅଧିକ ଗୁରୁତର ଥିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ଅନ୍ୟତ୍ର ରେଫର କରାଯିବା ନେଇ ଖବର ମିଳିଛି। ଘଟଣା ସମ୍ପର୍କରେ ଆହତ ସିଆରସିସି ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଭଗବାନ ବଞ୍ଚାଇଦେଲେ। କିନ୍ତୁ ଶିକ୍ଷୟିତ୍ରୀ ଜଣକ ଗୁରୁତ୍ୱର ଥିବା ସେ ସୂଚନା ଦେଇଛନ୍ତି। ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ କେତେ ଗଭୀର ଆଘାତ ଲାଗିଛି ସେ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ମୁଣ୍ଡ ଫାଟି ଚିକିତ୍ସା ପୂର୍ବରୁ ରକ୍ତ ଜୁଡୁବୁଡୁ ହେବା ଫଟୋ ହସ୍ତଗତ ହୋଇଛି।

Leave A Reply

Your email address will not be published.