ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ୧୧ଟି ବିଭାଗର ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରାଯାଇଛି । ଆଗାମୀ ୫ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ । ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ ସହ କାର୍ଯ୍ୟରତ କମ୍ୟୁନିଟି ସର୍ପୋଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ସ୍କୁଟି କିଣି ପାରିବେ ।
ପସନ୍ଦ ମୁତାବକ ସ୍କୁଟି କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ପାଇବେ । ଏବେ ରାଜ୍ୟରେ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି । ସେହିଭଳି ୧ ଲକ୍ଷ ୨୫ ହଜାର ପଞ୍ଚାୟତ, ୱାର୍ଡ ସ୍ତରୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନାରେ ଉପକୃତ ହେବେ । ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନଙ୍କ ଲାଗି ମିଶନ ଶକ୍ତି ସ୍କୁଟର ଯୋଜନାରେ ସରକାର ଆଗାମୀ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କା ଖର୍ଚ୍ଚ କରିବେ ।