୨୯ତମ ଶତକ ମାରି ନୂଆ କୀର୍ତ୍ତମାନର ଅଧିକାରୀ କୋହଲି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି ବ୍ୟାଟିଂ କିଂବଦନ୍ତି ବିରାଟ କୋହଲି । ଏହା କରି ସେ ଅନେକ ନୂଆ କୀର୍ତ୍ତମାନର ଅଧିକାରୀ ହୋଇଛନ୍ତି। ତେବେ ବ୍ୟାଟିଂ ଆଭରେଜ୍‌ରେ ସେ ଏବେବି ଅନେକ ମହାନ ଖେଳାଳିଙ୍କ ପଛରେ ରହିଛନ୍ତି। କାରଣ ସର୍ବକାଳୀନ ‌ଶ୍ରେଷ୍ଠ ଖେଳାଳି ହେବାକୁ ହେଲେ ଟେଷ୍ଟ୍‌ କ୍ରିକେଟ୍‌ରେ ବ୍ୟାଟିଂ ଆଭରେଜ୍ ବା ବ୍ୟାଟିଂ ହାର ୫୦ରୁ ଅଧିକ ହେବା ଜରୁରି। ବିଶେଷଜ୍ଞମାନେ ଏଭଳି ମତ ଦେଉଥିଲା ବେଳେ ବିରାଟ କୋହଲି ସହଜରେ ଏହି ସୀମା ଉପରେ ଥିବେ ବୋଲି କ୍ରିକେଟ୍ ପ୍ରଶଂସକମାନେ ଅନୁମାନ କରୁଥି‌ବେ। ହେଲେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ସତକଥା ହେଲା ନଭେମ୍ବର ୨୦୧୯ରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିଲା ବେଳେ କୋହଲିଙ୍କ ଟେଷ୍ଟ୍ ଆଭରେଜ୍ ୫୦ ତଳକୁ ଖସିଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଅହମଦାବାଦଠାରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ହାସଲ କରିବା ପରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରିବା ପରେ ତାଙ୍କ ବ୍ୟାଟିଂ ହାର ପୁଣି ଥରେ ୫୦ ଛୁଇଁବାର ଆଶା ସଂଚାର ହୋଇଛି।

ଏହି ଶତକ ପରେ କୋହଲିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୪୯.୩୦ ରହିଛି। ଏଣୁ ଚଳିତ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଯଦି ବ୍ୟାଟିଂ ସୁଯୋଗ ମିଳେ ତେବେ କୋହଲି ପୁଣି ଥରେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟଥା ଏଥିଲାଗି ତାଙ୍କୁ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଶୃଙ୍ଖଳାକୁ ଅପେକ୍ଷା କରିବାକୁ ହେବ। କୋହଲିଙ୍କ ସମସାମୟିକଙ୍କ ମଧ୍ୟରେ ଏବି ଡି’ଭିଲିୟର୍ସ, ଷ୍ଟିଭେନ୍ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଟେଷ୍ଟ୍ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି। ଅନ୍ୟ କିଂବଦନ୍ତି ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଭିଭିଆନ୍ ରିଚାର୍ଡସ, ଆଲାନ ବର୍ଡର, ରାହୁଲ ଦ୍ରାବିଡ଼, ଜାଭେଦ ମିଆଁଦାଦ ସୁନୀଲ ଗାଭାସ୍କର ଆଦିଙ୍କ ବ୍ୟାଟିଂ ହାର ୫୦ କିମ୍ବା ତା’ଠାରୁ ଅଧିକ ରହିଛି। ମହାନ ଖେଳାଳି ଡନ୍ ବ୍ରାଡମ୍ୟାନଙ୍କ ବ୍ୟାଟିଂ ହାର ସର୍ବାଧିକ ୯୯.୯୪ ଥିଲେ ମଧ୍ୟ ସେ ୫୨ ଟେଷ୍ଟ୍ ଖେଳିଛନ୍ତି।

Leave A Reply

Your email address will not be published.