ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୋଲିସକୁ ମରାଣାନ୍ତକ ଆକ୍ରମଣ କଲେ ଗଂଜେଇ ମାଫିଆ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗ ଘୋଡ଼ାହାଡ଼ ଗାଁରେ । ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଧରିବାକୁ ବିଛାଇଥିଲେ ଜାଲ। ହେଲେ ଓଲଟା ହୋଇଗଲା ପରିଣାମ। ଅବକାରୀ ଆଇଆଇସି ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଗଞ୍ଜେଇ ମାଫିଆ। ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ଆଇଆଇସି ସହ ୨ ଜଣ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କୋଟପାଡ୍ ଥାନା ଘୋଡାଘାଟ ଗାଁରେ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା କୋଟପାଡର ଅବକାରୀ ଟମ୍। ଏନେଇ ଗତକାଲି କୋଟପାଡ ଓ ବୋରିଗୁମ୍ମାର ଅବକାରୀ ଟିମ୍ ମିଳିତ ଭାବେ ୩ଟି ବୋଲେରୋ ଗାଡିରେ ଘୋଡାଘାଟ ଗାଁ ଓ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ। ତିନୋଟି ଟିମ୍ ବିଭିନ୍ନ ସ୍ଥାନରେ ଛକି ରହି ମାଫିଆଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ। ଦୁଇ ଟିମ୍ ଗାଁରେ ଚଢ଼ାଉ କରିଥିବା ବେଳେ ଅନ୍ୟ ଏକ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲେ। ତେବେ ଜଙ୍ଗଲ ଭିତରେ ଚଢାଉ ବେଳେ ପ୍ରତି ଆକ୍ରମଣ କରିଥିଲେ ମାଫିଆ। ୨୫ରୁ ଅଧିକ ଗଞ୍ଜେଇ ମାଫିଆ ପ୍ରଥମେ ଠେଙ୍ଗା, ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଅବକାରୀ କର୍ମଚାରୀଙ୍କ ଭୟଭୀତ କରିଥିଲେ। ପରେ ଗଞ୍ଜେଇ ମାଫିଆମାନେ ଖଣ୍ଡାରେ ଅବକାରୀ ଆଇଆଇସି ଓ ୨ କନଷ୍ଟେବଲଙ୍କୁ ଆକ୍ରମଣ କରିଥିଲେ। ସାଙ୍ଗରେ ଅନ୍ୟ ଅବକାରୀ କର୍ମଚାରୀମାନେ ୩ ଜଣଆହତଙ୍କୁ ଧରି କୌଶଳକ୍ରମେ ଘଟଣାସ୍ଥଳରୁ ପଳାଇ ଆସିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Prev Post