ଓଡିଶା ଗସ୍ତରେ ଶାଢି କିଣିଲେ ମହାମହିମ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ । ଗତକାଲି କେତେକ ଶାଢ଼ୀ କିଣିଛନ୍ତି। ରାଜଧାନୀର ମେହେରସ୍ ଶାଢ଼ି ସୋ ରୁମର ମ୍ୟାନେଜର କିଶୋର ମେହେର କାରିଗର ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି ନେଇ ଗତକାଲି ରାତିରେ ରାଜଭବନ ଯାଇଥିଲେ। ସେ କୋଟପାଡ଼, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଓ ପଟ୍ଟଚିତ୍ର ଆଦି ବିଭିନ୍ନ ପ୍ରକାରର ୩୫ ଖଣ୍ଡ ଶାଢ଼ି ନେଇ ଯାଇଥିଲେ।

ରାଷ୍ଟ୍ରପତି ସେଥିମଧ୍ୟରୁ ନିଜ ମନପସନ୍ଦର ୬ ଖଣ୍ଡ ଶାଢ଼ି ଓ ୬ଟି ସୁଟ୍ ପିସ୍ କିଣିଥିଲେ। ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ ଟଙ୍କାର ଶାଢ଼ି କିଣିଥିଲେ। ଏଥିଲାଗି ଆଗରୁ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ମେହେରସ୍ ଶାଢ଼ି ସୋ ରୁମ ସହିତ ଯୋଗାଯୋଗ କରାଯାଇଥିଲା। ରାଜଭବନରେ ପ୍ରାୟ ୪୦ ମିନିଟ୍ ଯାଏ ଶାଢ଼ି କିଣା କାମ ଚାଲିଥିଲା। ଏହା ପୂର୍ବରୁ ରାଜ୍ୟ ସରକାରରେ ମନ୍ତ୍ରୀ ଓ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଶ୍ରୀମତୀ ମୁର୍ମୁ ଅନେକ ସମୟରେ ମେହେରସ ଯାଇ ଶାଢ଼ି କିଣଛନ୍ତି। ଓଡ଼ିଆ ବୁଣାକାରଙ୍କ ହାତ ତିଆରି ଶାଢ଼ି ପିନ୍ଧିବାକୁ ଖୁବ୍ ଭଲ ପାଆନ୍ତି ରାଷ୍ଟ୍ରପତି। ସେ ଶାଢ଼ି ବ୍ୟତୀତ କିଛି ସମ୍ବଲପୁରୀ ସୁଟ ପିସ ମଧ୍ୟ ତାଙ୍କ ଝିଅ ପାଇଁ କିଣିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ। ତମାଣ୍ଡୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗ ଦେଇ ଗଛ ଲଗାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଛନ୍ତି ସେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ ଜଣାଇଥିଲେ।

 

Leave A Reply

Your email address will not be published.