ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଭାରତ ପାଇଁ ଏଣ୍ଟ୍ରି ହୋଇପାରେ କଷ୍ଟସାଧ୍ୟ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ଏଣ୍ଟ୍ରି ହୋଇପାରେ କଷ୍ଟସାଧ୍ୟ । ଡ୍ର’ ଉଠାଣରେ ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍‌ରେ ସ୍ଥାନ ମିଳିଛି। ଗ୍ରୁପ୍‌ ଏ’ରେ ଭାରତ ସହିତ ଏସୀୟ ବିଜେତା କାତାର, କୁଏତ୍‌ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ଓ ମଙ୍ଗୋଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ବିଜେତା ଚତୁର୍ଥ ଦଳ ଭାବେ ଏହି ଗ୍ରୁପ୍‌ରେ ସ୍ଥାନ ପାଇବ। କଷ୍ଟସାଧ୍ୟ ଗ୍ରୁପ୍‌ ହୋଇଥିଲେ ବି ଇଗୋର ଷ୍ଟିମାକ୍‌ଙ୍କ ଦଳ ପାଖରେ ବଡ଼ ସୁଯୋଗ ରହିଛି। ଏହି ଗ୍ରୁପ୍‌ରେ ଭାରତ ଦ୍ବିତୀୟ ସର୍ବାଧିକ ମାନ୍ୟତା ପ୍ରାପ୍ତ ଦଳ ଭାବେ ରହିଛି। କାତାର (୫୯) ପଛକୁ ଭାରତ (୯୯) ରହିଥିଲା ବେଳେ କୁଏତ୍‌ (୧୩୭), ଆଫଗାନିସ୍ତାନ (୧୫୭)-ମଙ୍ଗୋଲିଆ (୧୮୩) ଏମାନଙ୍କଠୁ ବହୁତ ଦୂରରେ ରହିଛନ୍ତି। ଯଦି ଭାରତୀୟ ଦଳର ନିକଟତମ ପ୍ରଦର୍ଶନକୁ ନଜର ପକାଇବା, ତାହେଲେ ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଓ ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜୟ ପରେ ବ୍ଲୁ ଟାଇଗର୍ସଙ୍କ ମନୋବଳ ଉଚ୍ଚ ରହିଛି। ତେଣୁ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସେଟ୍‌ରେ ନଭେମ୍ବର ୧୬ ତାରିଖରେ କୁଏତ୍‌ ଓ ୨୧ ତାରିଖରେ କାତାର ବିପକ୍ଷରେ ଭାରତ ପ୍ରାରମ୍ଭିକ ମ୍ୟାଚ୍‌ ଖେଳିବ। ଏହି ଦୁଇ ମ୍ୟାଚ୍‌ ଜିତିପାରିଲେ ଭାରତର ବିଶ୍ବକପ୍‌ ରାସ୍ତା ପରିସ୍କାର ହୋଇପାରିବ।

ଏଥିପୂର୍ବରୁ ସାଫ୍‌ ଚାମ୍ପିଅନ୍‌ସିପ୍‌ରେ କୁଏତ୍‌ ବିପକ୍ଷରେ ଭାରତ ଦୁଇଥର ମ୍ୟାଚ୍‌ ଖେଳିସାରିଛି। ହେଲେ କେବଳ ଫାଇନାଲ୍‌ରେ ଭାରତ ବିଜୟୀ ହୋଇଥିଲା। ତାହା ପୁଣି ପେନାଲ୍‌ଟି ସୁଟ୍‌ଆଉଟ୍‌ରେ। ନିର୍ଦ୍ଧାରିତ ସମୟ‌ରେ ମ୍ୟାଚ୍‌ ‌୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା ବେଳେ ସୁଟ୍‌ଆଉଟ୍‌ରେ ଭାରତ ୫-୪ ଗୋଲ୍‌ରେ ବିଜୟୀ ହୋଇଥିଲା। ଏଥିପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ସାଫ୍‌ ଚାମ୍ପିଅନ୍‌ସିପ୍‌ ପୂର୍ବରୁ ୨୦୧୦ରେ କୁଏତ୍‌ ୯-୧ ଗୋଲ୍‌ରେ ଭାରତକୁ ପରାଜିତ କରିଥିଲା। ତେଣୁ ସେହି ଦୃଷ୍ଟି‌ରୁ ଦେଖିଲେ ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ବହୁତ ଉନ୍ନତି କରିଥିବା ମନେହେଉଛି। ଯୋଗ୍ୟତା ପର୍ଯ୍ୟାୟରେ ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ ହେବ କାତାର। ଭାରତଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଏହି ଦଳ ସବୁ କ୍ଷେତ୍ରରେ ଶ୍ରେଷ୍ଠ ଭାବେ ନିଜକୁ ପ୍ରମାଣିତ କରିଛି। ୨୦୧୯ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଶେଷ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିଲା ବେଳେ ଭାରତ ଅଳ୍ପକେ ୦-୧ ଗୋଲ୍‌ରେ ପରାଜିତ ହୋଇଥିଲା। ସେହି ମ୍ୟାଚ୍‌ରେ ଭାରତର ରାହୁଲ ଭେକେଙ୍କୁ ୧୭ ତମ ମିନିଟ୍‌ରେ ନାଲି କାର୍ଡ ମିଳିବାରୁ ଭାରତ ୧୦ ଜଣଙ୍କୁ ନେଇ ଖେଳିଥିଲା। ଏଥିପୂର୍ବରୁ କାତାର ସହ ଭାରତ ଏକ ଗୋଲ୍‌ଶୂନ୍ୟ ଅମୀମାଂସିତ ମ୍ୟାଚ୍‌ ଖେଳିଥିଲା। ‌କିନ୍ତୁ ଭାରତୀୟ ଦଳର ବର୍ତ୍ତମାନର ପ୍ରଦର୍ଶନ ଓ ଉତ୍କଣ୍ଠାକୁ ଦେଖିଲେ ଏହି ଦଳକୁ ବି ମାତ୍‌ ଦେବାରେ ଭାରତୀୟଙ୍କୁ ଅସୁବିଧା ହୋଇନପାରେ।

Leave A Reply

Your email address will not be published.