ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ପଲିଗ୍ରାଫ ଟେଷ୍ଟରେ ଗୋପାଳ କହିଛି ଗୋଟି ଗୋଟି ସତ । ପ୍ରତିଶୋଧ ନେବାକୁ ହତ୍ୟା । ପ୍ରିପ୍ଲାନ୍ଡ ମର୍ଡର । ମାସେ ପୂର୍ବରୁ ଲୋଡ୍ କରିଥିଲା ପିସ୍ତଲ । ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା । ତୃତୀୟ ଥରରେ ଖେଳ ଖମତ କଲା ଗୋପାଳ । ଗୋପାଳ କହିଛି, ଜାନୁଆରୀ ୧୨ ଓ ୧୩ ତାରିଖରେ ତାଙ୍କ ବାସଭବନକୁ କିଛି ଲୋକଙ୍କୁ ପଠାଇଥିଲେ ନବ ଦାସ । ସେମାନେ ଘର କବାଟକୁ ଧକ୍କା ପକାଇବା ସହ ଦୁଆର ଆଗରେ ପରିସ୍ରା କରିଥିଲେ । ଏହି ଘଟଣା ସେମାନଙ୍କୁ ଭୟଭୀତ କରାଇଥିଲା । ଗୋପାଳ କହିଛି, ଜାନୁଆରୀ ୨୯ ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଦୁଇ ଥର ଉଦ୍ୟମ କରିଥିଲା । ହତ୍ୟାର ମାସେ ପୂର୍ବରୁ ଡିସେମ୍ବର ୨୯ ଓ ୩୦ ତାରିଖରେ ପିସ୍ତଲରେ ଲୋଡ୍ କରିଥିଲା ଗୁଳି । ସୁଯୋଗ ଖୋଜୁଥିଲା ।
ଜାନୁଆରୀ ୨୯ରେ ସେହି ସୁଯୋଗ ମିଳିଥିଲା । ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସ କାର୍ରୁ ଓହ୍ଲାଇବା ବେଳେ ଗୁଳି ଚଳାଇଥିଲା ଗୋପାଳ । ରିଭଲଭର ବାହାର କରିବା କେହି ଦେଖି ନଥିଲେ । ନବଙ୍କ ଛାତିକୁ ଲକ୍ଷ୍ୟ କରି ପ୍ରଥମ ଗୁଳି ମାପିଥିଲା । ଲୋକଙ୍କୁ ଭୟଭୀତ କରିବାକୁ ଦ୍ୱିତୀୟ ଗୁଳି ଚଳାଇଥିଲା ଗୋପାଳ । ଯାହା କାର୍ ଡୋରରେ ବାଜିଥିଲା । ଆକାଶକୁ ମାରିଥିଲା ତୃତୀୟ ଗୁଳି । ଗୁଜରାଟର ଗାନ୍ଧିନଗର ଡିଏଫଏସରେ ଫେବ୍ରୁଆରୀ ୯ରୁ ୧୨ ତାରିଖ ଯାଏ ତାର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଥିଲା । ପଲିଗ୍ରାଫ ଟେଷ୍ଟ ପୂର୍ବରୁ ପ୍ରି-ଟେଷ୍ଟରେ ନବ ଦାସଙ୍କୁ ହତ୍ୟାର ସବୁ କାରଣ କହିଛି । ମନୋଜ ବରିହା ନାମକ ଜଣେ ବ୍ୟକ୍ତି ନବ ଦାସଙ୍କ ପଟରୁ ଜୀବନ ପ୍ରତି ବିପଦ ଥିବା ଗୋପାଳକୁ କହିଥିଲେ । ଯେଉଁଥିରେ ଭୟଭୀତ ହୋଇ ନବଙ୍କୁ ମାରିବାକୁ ଯୋଜନା କରିଥିଲା ଗୋପାଳ । ପଲିଗ୍ରାଫ ଟେଷ୍ଟରେ ତାକୁ ପଚରାଯାଇଥିଲା ୨୬ଟି ପ୍ରଶ୍ନ ।