ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଫାଶୀଦଣ୍ଡ ପାଇବ କି ନବ ଦାସ ହତ୍ୟାକାରୀ ଗୋପାଳ ଦାସ ନା ଆଜୀବନ କାରାଦଣ୍ଡାଦେଶ। କି ନିର୍ଦ୍ଦେଶ ଦେବେ ଝାରୁସୁଗୁଡ଼ା ଜିଲା ଦୌରାଜଜ। ଇତି ମଧ୍ୟରେ ଗୁଜୁରାଟ ଗାନ୍ଧୀନଗର ଫରେନସିକ ସାଇନ୍ସ ଲାବୋରଟାରୀରୁ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟ ଆସିଛି। ତେବେ ଏହି ପଲିଗ୍ରାଫ ରିପୋର୍ଟ କୋର୍ଟରେ ତଥ୍ୟପ୍ରମାଣ ହିସାବରେ ଗ୍ରହଣୀୟ ହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଏହାକୁ ପାରିପାର୍ଶ୍ବିକ ପ୍ରମାଣ ବା ସହାୟକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରେ। କିନ୍ତୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଶହ ଶହ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି। ସେମାନେ ପୋଲିସ ନିକଟରେ ସାକ୍ଷ୍ୟ ପ୍ରଦାନ କରିଥିବେ। ସେମାନଙ୍କୁ ପୋଲିସ ରାଜସାକ୍ଷୀ ଭାବେ କୋର୍ଟରେ ଉପସ୍ଥାପିତ କରିବ। ଏହା ସହିତ ଚାର୍ଜ ବେଳେ ଗୋପାଳ ଦାସ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କଲେ ତାକୁ କିଭଳି ବିଚାରପତି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା। ଏହା ରେୟାରେଷ୍ଟ ଅଫ ରେୟାର ବା ବିରଳରୁ ଅତି ବିରଳ ଅପରାଧ ବୋଲି ବିବେଚିତ ହେଲେ ଫାଶୀ ଦଣ୍ଡ ମିଳିବ। ନଚେତ ଆଜୀବନ କାରାଦଣ୍ଡ ଭୋଗିବ ଅଭିଯୁକ୍ତ ଗୋପାଳ ଦାସ। ତେବେ ଶହ ଶହ ସଂଖ୍ୟାରେ ପ୍ରତ୍ୟକ୍ଷଦର୍ଶୀ ଥିବାରୁ ଗୋପାଳକୁ ସଜ୍ଜା ହେବା ନିଶ୍ଚିତ ବୋଲି ମତ ରଖିଛନ୍ତି ବରିଷ୍ଠ କ୍ରିମିନାଲ ଓକିଲ ଧରଣୀଧର ନାୟକ।