ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିରୋଧୀ ମେଣ୍ଟଙ୍କ ‘ଇଣ୍ଡିଆ’ ନାଁକୁ ନେଇ ଛାନିଆଁ ଏନଡିଏ। ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ ହଟାଇବାକୁ ରାଜ୍ୟସଭାରେ ବିଜେପି ସାଂସଦ ବଂଶଲ ଦାବି ରଖିଛନ୍ତି। ଇଣ୍ଡିଆ ଶବ୍ଦକୁ ହଟାଇ ଦେଶର ନାଁ ଭାରତ ରଖିବାକୁ କହିଛନ୍ତି ବଂଶଲ। ଇଣ୍ଡିଆ ନାଁ ବ୍ରିଟିଶ ଶାସକ ମାନଙ୍କ ଦ୍ବାରା ଲଦିଦିଆ ଯାଇଛି। ଇଣ୍ଡିଆର ପ୍ରକୃତ ପ୍ରାଚୀନ ନାଁ ହେଉଛି ଭାରତ। ଯାହାକି ହଜାର ହଜାର ବର୍ଷ ଧରି ବ୍ୟବହାର କରାଯାଉଛି। ସାଂସଦ ବଂଶଲଙ୍କ କହିବା ଅନୁଯାୟୀ ବ୍ରିଟିଶ ମାନେ ଭାରତ ନାଁ କୁ ପରିବର୍ତ୍ତନ କରି ଇଣ୍ଡିଆ ଦେଇଥିଲେ। ଇଣ୍ଡିଆ ବ୍ରିଟିଶ ଉପନିବେଶବାଦ ଓ ଗୋଲାମୀର ପ୍ରତୀକ ବୋଲି କହିବା ସହ ଇଣ୍ଡିଆ ନାଁକୁ ବାଦ ଦେବାକୁ ଦାବି କରିଛନ୍ତି ବଂଶଲ। ଏପରିକି ଗତବର୍ଷ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଆଧାର କରି ବଂଶଲ ସ୍ୱାଧୀନତାର ଅମୃତ କାଳରେ ସମ୍ବିଧାନ ର ଆର୍ଟିକିଲ ଏକକୁ ସଂଶୋଧନ କରି ଇଣ୍ଡିଆକୁ ହଟାଇ କେବଳ ଭାରତ ରଖିବାକୁ ଦାବି କରିଛନ୍ତି।
ଇଣ୍ଡିଆକୁ ହଟାଇ କେବଳ ଭାରତ ଭାବେ ଦେଶକୁ ନାମିତ କରାଗଲେ ଦେଶର ଐତିହ୍ୟ ଓ ସଂସ୍କୃତିକୁ ପ୍ରକୃତ ସମ୍ମାନ ହେବ ବୋଲି କୁହାଯାଇଛି। ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେବା ପରେ ବିଜେପି ଲଗାତର ଭାବେ ବିଭିନ୍ନ ଢଙ୍ଗରେ ଏହି ନାଁ କୁ ନେଇ ଆକ୍ରମଣ କରିଚାଲିଛି। ଗୋଟିଏ ପଟେ ଇଣ୍ଡିଆକୁ ନେଇ ଉପନିବେଶବାଦ ଓ ଗୋଲାମୀର କଥାକୁ ହଠାତ ବିଜେପି ବ୍ୟାପକ କରୁଥିଲେ ମଧ୍ୟ ଏ ଯାଏ ବିଭିନ୍ନ କେନ୍ଦ୍ରୀୟ ସ୍କିମର ନାଁରେ କିଭଳି ଇଣ୍ଡିଆକୁ ବ୍ୟବହାର କରୁଛି ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି। ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ ଓ ନିଉ ଇଣ୍ଡିଆ ଆଦିକୁ ନେଇ ବିରୋଧୀ ବିଜେପିକୁ ସମାଲୋଚନା କରିଛନ୍ତି।